ହଲିଉଡରେ ଏଣ୍ଟ୍ରି କରିବେ ଆଲିଆ
ମୁମ୍ବାଇ : ଖୁବଶୀଘ୍ର ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବଲିଉଡର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ଆଲିଆ ଭଟ୍ଟ। ଆଲିଆ ଆଜି ବଲିଉଡର ସମସ୍ତ ସୁନ୍ଦର ଚେହେରା ମାନଙ୍କ ମଧ୍ୟରୁ ଜଣେ । ସମସ୍ତେ ତାଙ୍କର ସୌନ୍ଦର୍ଯ୍ୟରେ ପାଗଳ । ଆଲିଆ ନିଜକୁ ଖୁବ୍ କମ୍ ସମୟ ମଧ୍ୟରେ ଜଣେ ସଫଳ ଅଭିନେତ୍ରୀ ଭାବରେ ପ୍ରତିଷ୍ଠିତ କରିଛନ୍ତି । ଆଲିଆ ଅନେକ ଚଳଚ୍ଚିତ୍ରରେ ବିଭିନ୍ନ ଗମ୍ଭୀର ଏବଂ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନଙ୍କ ପରେ ଆଲିଆ ଭଟ୍ଟ ହଲିଉଡରେ ପାଦ ଦେବାକୁ ପ୍ରସ୍ତୁତ ଅଛନ୍ତି। ଆଲିଆ ଭଟ୍ଟଙ୍କୁ ହଲିଉଡ ଟ୍ୟାଲେଣ୍ଟ ଏଜେନ୍ସି ଡବ୍ଲୁଏମଇ ସାଇନ୍ କରାଇଛି। ଡବ୍ଲୁଏମଇ କାଲିଫର୍ଣ୍ଣିଆରେ ଅବସ୍ଥିତ ଏକ ଆମେରିକୀୟ ଏଜେନ୍ସି। ଆଶା କରାଯାଉଛି ଯେ ଆଲିଆ ଭଟ୍ଟ ୨୦୨୨ ରେ ତାଙ୍କର ପ୍ରଥମ ହଲିଉଡ ପ୍ରୋଜେକ୍ଟ ଘୋଷଣା କରିପାରନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଆଲିଆ ତାଙ୍କ ନୂତନ ପ୍ରକଳ୍ପ ପାଇଁ ବହୁତ ଉତ୍ସାହିତ ଅଛନ୍ତି। ଏକ ସୂତ୍ରରୁ ଜଣାପଡିଛି ଯେ ଆଲିଆ ଭଟ୍ଟ ହଲିଉଡ ଅଭିନେତ୍ରୀ ଜେନିଫର ଲରେନ୍ସଙ୍କର ଜଣେ ବଡ଼ ପ୍ରଶଂସକ ଏବଂ ତାଙ୍କ ଶୈଳୀରେ ସେ ଫିଲ୍ମ କରିବାକୁ ଚାହୁଁଛନ୍ତି।
ସୂଚନା ଯେ, ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ମହେଶ ଭଟ୍ଟଙ୍କର ଝିଅ । ଆଲିଆ ଜଣେ ଶିଶୁ କଳାକାର ଭାବରେ ୧୯୯୯ରେ ସଙ୍ଘର୍ଷ ଚଳଚ୍ଚିତ୍ରରେ ପ୍ରଥମ ଅଭିନୟ କରିଥିଲେ । ଏହା ପରେ ସେ ୨୦୧୨ରେ କରଣ ଜୋହରଙ୍କ ଚଳଚ୍ଚିତ୍ର ଷ୍ଟୁଡେନ୍ଟ ଅଫ୍ ଦ ଇଅର ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଫିଲ୍ମଫେୟାରରେ ମନୋନୀତ କରାଯାଇଥିଲା । ଆଲିଆଙ୍କ ଅଭିନୀତ ସଫଳ ହିନ୍ଦୀ କଥାଚିତ୍ରଗୁଡ଼ିକ ହେଲା: ଟୁ ଷ୍ଟେଟସ୍, ହମ୍ଟି ଶର୍ମାକି ଦୁଲ୍ହନିଆ, କପୁର ଆଣ୍ଡ ସନ୍ସ୍, ଡିଅର ଜିନ୍ଦେଗି, ବଦ୍ରିନାଥ କି ଦୁଲହନିଆ । ହାଇ ୱେ ଏବଂ ଉଡ଼୍ତା ପଞ୍ଜାବ ଭଳି ଚଳଚ୍ଚିତ୍ରରେ ଆଲିଆ ଅଭିନୟ ପାଇଁ ସେ ଫିଲ୍ମଫେୟାରରେ ଶ୍ରେଷ୍ଠ ସମୀକ୍ଷକ ପୁରସ୍କାର ପାଇଥିଲେ । ଆଲିଆ ଭଟ୍ଟ ଅଭିନୟ କରିବା ସହ କିଛି ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଛନ୍ତି ।
