ପଞ୍ଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ : ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ବୃଦ୍ଧି ଦାବି
- ଭୋଟ ଦେବା ସମୟ ବୃଦ୍ଧି ସହ ମଦମୁକ୍ତ ଭୋଟ୍ ପାଇଁ ପ୍ରସ୍ତାବ
ଭୁବନେଶ୍ୱର : ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ନିର୍ବାଚନ କମିଶନ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଏହି ବୈଠକରେ ଛଅଟି ଏଜେଣ୍ଡା ଉପରେ ଆଲୋଚନା ହୋଇଥିବାର ସୂଚନା ମିଳିଛି। ମଦମୁକ୍ତ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଏହି ବୈଠକରେ ପ୍ରସ୍ତାବ ଦେଇଛନ୍ତି। ସେହିପରି ଭୋଟ ଦେବା ସମୟରେ ବୃଦ୍ଧି, ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚକୁ ବୃଦ୍ଧି କରିବା ପାଇଁ ଦାବି ରଖିଛନ୍ତି । ନିର୍ବାଚନ କମିଶନ ଏହି ସବୁ ଦାବି ଉପରେ ବିଚାର କରୁଛନ୍ତି ।
ବୈଠକରେ ହୋଇଥିବା ଦାବି ଗୁଡ଼ିକ ହେଉଛି, ଭୋଟ ଦେବା ସମୟକୁ ୭ ଟାରୁ ୧୨ଟା ବଦଳରେ ଏଥିରେ ଆଉ ୨ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । ନିର୍ବାଚନ ଖର୍ଚ୍ଚ ବୃଦ୍ଧି, ଜିଲା ପରିଷଦଙ୍କର ୨ ଲକ୍ଷ ବଦଳରେ ୫ ଲକ୍ଷ କରାଯାଉ।ଏହାସହିତ ସରପଞ୍ଚ ଓ ସମିତି ସଭ୍ୟଙ୍କର ୮୦ ହଜାର ଟଙ୍କାକୁ ଡବଲ କରଯାଉ, ଅଥବା ୧ ଲକ୍ଷ ୬୦ ହଜାରରୁ ୨ ଲକ୍ଷ କରାଯାଉ । ନିର୍ବାଚନର ୭ ଦିନ ପୂର୍ବରୁ ମଦକୁ ବନ୍ଦ କରଯାଉ । ଭୋଟର ତାଲିକାକୁ ସ୍ୱଚ୍ଛ କରିବା ପାଇଁ ପ୍ରତି ବୁଥରେ ଅଫିସରଙ୍କୁ ନିଯୁକ୍ତି ଦିଆଯାଉ । ଯେଉଁମାନେ ଡବଲ ଭୋଟର ତାଲିକା ରହିଛି ତାକୁ ବାଦ ଦିଆଯାଉ । ତେବେ ବିଭିନ୍ନ ରାଜନୈତିକ ଦଳଙ୍କ ସହ ଆଲୋଚନା ରାଜ୍ୟ ନିର୍ବାଚନ କମିଶନଙ୍କ ଆଦିତ୍ୟ ପାଢ଼ୀ କହିଛନ୍ତି ଯେ, ଭୋଟର ତାଲିକା ନିର୍ଭୁଲ ଭାବେ ପ୍ରସ୍ତୁତ କରିବା ପାଇଁ ଆଲୋଚନା ହୋଇଛି । ୱାର୍ଡ଼ ସ୍ତରରେ ଭୋଟର ତାଲିକା ପ୍ରସ୍ତୁତ ହେବ। ନାଁ ସହିତ ଲୋକଙ୍କର ଏପିକି ଭୋଟର ଆଇଡି ନମ୍ବର ରହିବ । ନଭେମ୍ବର ୧, ୨୦୨୧ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ହୋଇଥିବ, ସେମାନେ ଭୋଟ ଦେବା ପାଇଁ ଆମେ ପ୍ରସ୍ତାଵ ରଖିଛୁ। ଭୋଟ ଗ୍ରହଣର ଅବଧି ପୂର୍ବରୁ ୭ ଟାରୁ ୧୨ଟା ରହିଥିଲା । ତାକୁ ବଢ଼ାଇବା ପାଇଁ ବୈଠକରେ ଆଲୋଚନା ହୋଇଛି। ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ବଢ଼ାଇବାକୁ ବି ରାଜନୈତିକ ଦଳ ମାନେ ପ୍ରସ୍ତାଵ ଦେଇଛନ୍ତି । ତାହା ଉପରେ ଆଲୋଚନା ହୋଇଛି । ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ।
