ସ୍ୱାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଓ ଲୋକଙ୍କ ସହଯୋଗରେ ସଂକ୍ରମଣ କମିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବର୍ତ୍ତମାନ ଯେଉଁଭଳି ଭାବରେ ସଂକ୍ରମଣ କମୁଛି ଏହା ଆଶ୍ୱସ୍ତିର ବିଷୟ l ସ୍ୱାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଓ ଲୋକଙ୍କ ସହଯୋଗରେ ଆଜି ଏପରି ସଂକ୍ରମଣ କମିଛି ବୋଲି କହିଛନ୍ତି ।
ପଡ଼ୋଶୀ ଦେଶରେ ଯେହେତୁ ପୁଣି କିଛିଟା ସଂକ୍ରମଣ ବଢୁଛି ଯାହା ଚିନ୍ତାଜନକ । ଆମେ ସଜାଗ ଓ କୋଭିଡ ଗାଇଡଲାଇନ ମାନିବା ଉଚିତ। ବର୍ତ୍ତମାନ ଯେଉଁଭଳି ଭାବରେ ସଂକ୍ରମଣ କମୁଛି ଏହା ଆମମାନଙ୍କ ପାଇଁ ଏକ ଭଲ ଲକ୍ଷଣ। ଚାଇନାରେ ଯେତେବେଳେ ସଂକ୍ରମଣ ବଢିଥିଲା, ତାର ବହୁତ ଦିନ ପରେ ଆମ ଦେଶ ମାନଙ୍କରେ ସଂକ୍ରମଣ ହୋଇଥିଲା l ତେବେ ଆଗାମୀ ଦିନରେ କିପରି ସଂକ୍ରମଣ ନବଢିବ ସେ ଦିଗରେ କାମ କରିବା ଉଚିତ୍ । କରୋନାକୁ ଆମେ କିପରି ପ୍ରତିହତ କରିବା ସେ ଦିଗରେ କୋଭିଡର ନିୟମାବଳୀ ପାଳନକରିବା ଉଚିତ୍ । କୋଭିଡ ସମୟ ଆମକୁ ବହୁତ କିଛି ଶିଖାଇଛି । ତେଣୁ ଜନସାଧାରଣ ସେ ସବୁ କୁ ବୁଝିପାରିଛନ୍ତି । ଆଗାମୀ ଦିନରେ ସେ ସବୁକୁ ଆମେ ଜାରିରହିଲେ ସଂକ୍ରମଣ ଭୟ ରହିବ ନାହିଁ l ବିଭାଗ ମଧ୍ୟ ସର୍ଭିଲାନ୍ସ ଜାରି ରଖିଛି, ଲୋକମାନେ ମଧ୍ୟ ସଚେତନ ରୁହନ୍ତୁ । ପାଖାପାଖି ୭୩ % ଲୋକଙ୍କ ଦେହରେ ରୋଗପ୍ରତିରୋଧକ ଶକ୍ତି ବଢିଛି ଓ ଦୈନିକ ପାଖାପାଖି ୭୦ ହଜାର ଟେଷ୍ଟିଙ୍ଗ କରାଯାଉଛି। ସେହି ଅନୁସାରେ ଏବେ କାର୍ଯ୍ୟ ଜାରି ରହିଛି।
ସେହିପରି ସ୍କୁଲ ଖୋଲାଯିବା ସଂପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ପିଲାଙ୍କର ରୋଗ ପ୍ରତିରୋଧ ଶକ୍ତି ଅଧିକ। ସବୁ ନିୟମ ମାନି ସ୍କୁଲ୍ ଖୋଲାଯାଇପାରେ। ପିଲାମାନଙ୍କ ଜେନେରାଲ ଇମ୍ୟୁନିଟି ଅଲଗା ଯେଉଁଥିପାଇଁ ଶିଶୁଙ୍କ ଉପରେ ସେତେ ବାହ୍ୟ ପ୍ରଭାବ ରହେ ନାହିଁ। ସ୍କୁଲ ଖୋଲିବା ଦରକାର କିନ୍ତୁ ନିଜେ ନିଜ ହିସାବରେ ସଚେତନ ରହିବା ଦରକାର। ଶିକ୍ଷକମାନେ ସ୍ଥିତି ତଦାରଖ କରିବା ସହ ଅଭିଭାବକ ମଧ୍ୟ ଦାୟିତ୍ୱବାନ ହେବା ଉଚିତ। ତା’ଛଡ଼ା ଶିଶୁମାନେ ନିଜେ ସଚେତନ ରହିବା ଦରକାର। ବାକି ଶିଶୁମାନଙ୍କ ଟିକାକାରଣ ପ୍ରକ୍ରିୟା ଉଚ୍ଚସ୍ତରରେ ଅଛି। ଆମର ସବୁ ପ୍ରକାରର ବ୍ୟବସ୍ଥା ଲାଗି ପ୍ରସ୍ତୁତ ଅଛୁ। ନିର୍ଦେଶ ଆସିଲେ ଆମେ ଶିଶୁଙ୍କ ଟିକାକାରଣକୁ ମଧ୍ୟ ଯଥାଶୀଘ୍ର କରିବୁ।
