କୋଭିଡ ହସ୍ପିଟାଲରେ ଅଘଟଣ : ଅଗ୍ନିକାଣ୍ଡରେ ପୋଡି ହୋଇ ୧୦ ରୋଗୀ ମୃତ
ମୁମ୍ବାଇ : ପୁଣି ଏକ କୋଭିଡ ହସ୍ପିଟାଲରେ ଅଘଟଣ । ମହାରାଷ୍ଟ୍ରର ଅହମ୍ମଦନଗରର ଜିଲା କୋଭିଡ ହସ୍ପିଟାଲରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ଆଇସିୟୁ ୱାର୍ଡରେ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଅନେକ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ଅର୍ଦ୍ଧଦଗ୍ଧ ଭାବେ ଉଦ୍ଧାର କରାଯାଇଛି। ହସ୍ପିଟାଲକୁ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା କୁହାଯାଉଛି। ସେପଟେ ଅଗ୍ନିକାଣ୍ଡର ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ପ୍ରାଥମିକ ପର୍ଯ୍ୟାୟରେ ସଟର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ।
