ପ୍ରମୋଦ ଭଗତଙ୍କୁ ୧କୋଟି ୧୦ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ
ସମ୍ବଲପୁର : ଟୋକିଓ ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନ ଇଭେଣ୍ଟର ସିଙ୍ଗଲ୍ସ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ଚାରିଆଡ଼ୁ ଶୁଭେଚ୍ଛା ଓ ପୁରସ୍କାରର ସୁଅ ଛୁଟୁଛି। ଏହି କ୍ରମରେ ସମ୍ବଲୁପର ଏଲଆଇସି ଡିଜିଜନ୍ ପକ୍ଷରୁ ପ୍ରମୋଦଙ୍କୁ ୧ କୋଟି ୧୦ ଲକ୍ଷର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ସମ୍ବଲପୁରରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସଭାରେ ପ୍ରମୋଦଙ୍କୁ ଏହି ଚେକ୍ ଦିଆଯାଇଛି।
ଶୁକ୍ରବାର ସମ୍ବଲପୁର ବୁଢ଼ାରଜାସ୍ଥିତ ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟରେ ଶ୍ରୀ ଭଗତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମଣ୍ଡଳ ପ୍ରବନ୍ଧକ ବି.ଏଲ. ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଧନା ସଭାରେ ଶ୍ରୀ ଭଗତଙ୍କୁ ୧ କୋଟି ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି। ଏହି ଅବସରରେ ଶ୍ରୀ ଭଗତ କହିଥିଲେ ଯେ ଭାରତୀୟ ଜୀବନ ବୀମା ଭଳି ଦଳଗତ କାର୍ଯ୍ୟ ହିଁ ସଫଳତାର ସୂତ୍ର। ଓଡ଼ିଶା ପାଇଁ ପ୍ରଥମ ଖେଳ ରତ୍ନ ପୁରସ୍କାର ଆଣିବା ଦିଗରେ ସେ ମାଧ୍ୟମ ହୋଇଥିବାରୁ ବହୁତ ଖୁସି। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଏବେ ଉତ୍କର୍ଷ କେନ୍ଦ୍ର ପାଲଟିଛି। ତେଣୁ ଓଡ଼ିଶାର ଖେଳାଳୀମାନେ ଆହୁରି ପରିଶ୍ରମ କଲେ ନିଶ୍ଚୟ ସଫଳତାର ଶୀର୍ଷକୁ ଛୁଇଁପାରିବେ ବୋଲି ସେ କହିଛନ୍ତି। ଏହି ଅବସରରେ ଭାରତୀୟ ଜୀବନ ବୀମା ମଣ୍ଡଳ ପ୍ରବନ୍ଧକ ଶ୍ରୀ ଦାସ ସୂଚନା ଦେଇଛନ୍ତି ଯେ ସକ୍ରୀଡ଼ାକୁ ପ୍ରୋତ୍ସାହିତ କରିବାକୁ ଭାରତୀୟ ଜୀବନ ବୀମା ରୌପ୍ୟ ବିଜେତାଙ୍କୁ ୫୦ ଲକ୍ଷ ଟଙ୍କା, କାଂସ୍ୟ ବିଜେତାଙ୍କୁ ୨୫ ଲକ୍ଷ ଟଙ୍କା ଓ ଉପବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ଅଲିମ୍ପିକ ହକିରେ ଅଂଶଗ୍ରହଣ କରିଥିବା ଏହି ଅଞ୍ଚଳର ଖେଳାଳିମାନଙ୍କୁ ନିକଟରେ ସମ୍ବର୍ଦ୍ଧିତ କରାଯାଇଛି। ତା ବାଦ ଏ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସ୍ବର୍ଣ୍ଣ ଜୟନ୍ତୀ ପାଣ୍ଠିରୁ ମେଧାବୃତ୍ତି ମଧ୍ୟ ଦିଆଯାଉଛି ବୋଲି ସେ କହିଥିଲେ। ଏହି ସଭାରେ ପ୍ରବନ୍ଧକ (ମାର୍କେଟିଂ) ଅଜୟ କୁମାର ଉଦ୍ଦେଶ୍ୟ ଜ୍ଞାପନ କରିିଥିଲେ। ପ୍ରବନ୍ଧକ ( ସେଲ୍ ସ) ଶରତ କୁମାର ପଣ୍ଡା ସଭା ପରିଚାଳନା କରିଥିଲେ। ପ୍ରବନ୍ଧକ (ପିଏଣ୍ଡଜିଏସ୍) ସୁବୋଧ ଆଚାର୍ଯ୍ୟ ମଧ୍ୟ ମଞ୍ଚାସୀନ ଥିଲେ।
