ଟି-୨୦ ବିଶ୍ୱକପ୍ : ନାମିବିୟାକୁ ୧୬୪ ରନର ବିଜୟ ଲକ୍ଷ ଦେଲା ନ୍ୟୁଜିଲାଣ୍ଡ
ସାରଜା : ସାରଜା ଠାରେ ଶୁକ୍ରବାର ଟି୨୦ ବିଶ୍ୱକପ୍ ଗ୍ରୁପ-୨ର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ନାମିବିୟା ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚରେ ନାମିବିୟା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୬୩ ରନ ସଂଗ୍ରହ କରିଛି ନ୍ୟୁଜିଲାଣ୍ଡ । ଫଳରେ ନାମିବିୟାକୁ ୧୬୪ ରନର ବିଜୟ ଲକ୍ଷ ରହିଛି ।
ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ଦଳ ପ୍ରଥମରୁ ସାମାନ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ଶେଷରେ ଗ୍ଲେନ୍ ଫିଲିପ୍ସ ଏବଂ ଜେମସ୍ ନିସାମଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଫାଇଟିଂ ଟୋଟାଲ ସ୍କୋର କରିଛି ନ୍ୟୁଜିଲାଣ୍ଡ । ଦଳ ପକ୍ଷରୁ ଓପନର ମାର୍ଟିନ ଗପଟିଲ ୧୮ ରନ କରି ଆଉଟ ହୋଇଥିବା ବେଳେ, ଡାରିଲ ମିଚେଲ ୧୯ରନ, ଅଧିନାୟକ କେନ୍ ଓ୍ବିଲିୟମସନ ୨୮ରନ, ଡେଭନ୍ କୋନଓ୍ବେ ୧୭ ରନ କରି ଆଉଟ ହୋଇଛନ୍ତି । ଗ୍ଲେନ୍ ଫିଲିପ୍ସ ୩୯ ରନ ଏବଂ ଜେମସ ନିସାମ ୩୫ ରନ କରି ଅପରାଜିତ ଅଛନ୍ତି । ନାମିବିୟା ପକ୍ଷରୁ ବର୍ଣ୍ଣାଡ ସ୍କୋଲଜ୍ ୩ ଓଭରରେ ୧୫ ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, ରୁବେନ୍ ଟ୍ରମ୍ପେଲମାନ୍ନ ୩ ଓଭରରେ ୨୫ରନ, ଡେଭିଡ୍ ଓ୍ବାଇସ୍ ୪ ଓଭରରେ ୪୦ ରନ ୧ ଓ୍ବିକେଟ, ନିକୋଲ ଇଟୋନ୍ ୨ ଓଭରରେ ୨୪ରନ, ଗେରହାର୍ଡ ଏରସ୍ମସ୍ ୪ ଓଭରରେ ୨୨ରନ ୧ ଓ୍ବିକେଟ, କାର୍ଲ ବିର୍କେନ୍ଷ୍ଟକ୍ ୨ ଓଭରରେ ୯ରନ ଏବଂ ଜେଜେ ସ୍ମିଟ୍ ୨ ସଭରରେ ୨୭ ରନ ଦେଇଛନ୍ତି ।
ସୂଚନା ଯେ, ଆଜିର ମ୍ୟାଚ ଉପରେ ଏହି ଦୁଇ ଦେଶ ସମେତ ଭାରତର ବି ନଜର ରହିବ । କାରଣ ଆଜି ଜିତିଲେ ନ୍ୟୁଜିଲାଣ୍ଡର ସେମିଫାଇନାଲ ରାସ୍ତା ସୁଗମ ହେବ । କିନ୍ତୁ ଯ଼ଦି ନାମିବ୍ୟା ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ତେବେ ଭାରତ ପାଇଁ ସେମିକୁ ଯିବା ପାଇଁ ସୁଯୋଗ ରହିବ । ଏକ ଅନଭିଜ୍ଞ ଦଳ ହେଲେ ବି ନାମିବ୍ୟା ନିଜର ଲଢୁଆ ଖେଳକୁ ନେଇ ସମସ୍ତଙ୍କୁ ପ୍ରଭାବିତ କରିଛି । ଶକ୍ତିଶାଳୀ ପାକିସ୍ତାନ ବୋଲିଂ ଆକ୍ରମଣ ବିରୁଦ୍ଧରେ ମଧ୍ୟ ଏହି ଦଳ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରିଥିଲା । ବିଶେଷକରି କ୍ରେଗ୍ ଓ୍ବିଲିୟମ୍ସ, ଡେଭିଡ ଓ୍ବାଇଜ ଓ ଷ୍ଟିଫେନ କ୍ରେଗ ପାକିସ୍ତାନ ବିରୋଧରେ ଭଲ ବ୍ୟାଟିଂ କରିଥିଲେ । ଏଣୁ ଏହି ଦଳ ଓଲଟପାଲଟ କରିବାକୁ ସକ୍ଷମ ଓ ଏପରି ହେଲେ ଭାରତ ପାଇଁ ତାହା ଶୁଭଙ୍କର ହେବ ।
