ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୂର୍ବତନ ସରପଞ୍ଚଙ୍କୁ ହତ୍ୟା
ବ୍ରହ୍ମପୁର : ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ହତ୍ୟା । ସୁକୁଣ୍ଡା ଜଗନ୍ନାଥ ମନ୍ଦିର ରାସ୍ତାରେ ଶୁକ୍ରବାର ସକାଳେ ତାଙ୍କ ରକ୍ତାକ୍ତ ମୃତ ଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ମିଳିଥିଲା । ଖବରପାଇ ଟାଉନ ଏସଡିପିଓ, ବଡବଜାର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ମୃତ ପ୍ରଦୀପଙ୍କ ନାଁ ରେ ଏକାଧିକ ଅପରାଧିକ ମାମଲା ରହିଥିବା ବେଳେ ଗତ କିଛିଦିନ ତଳେ ସେ ବ୍ରହ୍ମପୁର ମଣ୍ଡଳ କାରାଗରରୁ ପାରୋଲରେ ଘରକୁ ଆସିଥିଲେ । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ହତ୍ୟାକାଣ୍ଡକୁ ନେଇ ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି । ପ୍ରଦୀପ ବ୍ରହ୍ମପୁରରୁ ନିଜ ସ୍କୁଟି ଯୋଗେ ଅନନ୍ତେଇ ଯାଇଥିବା ବେଳେ ଦୁର୍ବୁତ୍ତମାନେ ଯୋଜନାବଦ୍ଧ ଭାବେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବାର ବୋଲି ଶୁଣିବାକୁ ମିଳିଛି ।
