ବିଶ୍ୱ ପାଇଁ ବିପଦ ! ୨୦୩୦ ସୁଦ୍ଧା ୧ ହଜାର ପରମାଣୁ ଯୁଦ୍ଧାସ୍ତ୍ର ରଖିବାକୁ ଯୋଜନା କରୁଛି ଚୀନ୍
ୱାଶିଂଟନ୍ : ବିଶ୍ୱ ପାଇଁ ଆଉ ଏକ ବିପଦ। ଆମେରିକାର ପେଣ୍ଟାଗନ୍ ଦ୍ୱାରା ପ୍ରକାଶିତ ଏକ ନୂତନ ରିପୋର୍ଟରେ ଦାବି କରାଯାଇଛି ଯେ, ଚୀନ୍ ସମଗ୍ର ବିଶ୍ୱକୁ ଚ୍ୟାଲେଞ୍ଜ କରି ନିଜର ପରମାଣୁ ଅସ୍ତ୍ରଶସ୍ତ୍ର କ୍ଷମତା ବଢ଼ାଇବାରେ ଲାଗିଛି। ଚୀନ୍ ଆକ୍ରମଣାତ୍ମକ ଭାବେ ନିଜର ପରମାଣୁ ଯୁଦ୍ଧାସ୍ତ୍ର ବିସ୍ତାର କରୁଛି ଏବଂ ଏହାର ପରମାଣୁ ସମ୍ପ୍ରସାରଣକୁ ସମର୍ଥନ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରୁଛି। ସେହିପରି ଆସନ୍ତା ୨୦୩୦ ସୁଦ୍ଧା ଚୀନ୍ ଅତି କମରେ ୧ ହଜାର ପରମାଣୁ ଯୁଦ୍ଧାସ୍ତ୍ର ରଖିବାକୁ ଯୋଜନା ପ୍ରସ୍ତୁତ କରିଛି।
ରିପୋର୍ଟ ଅନୁସାରେ, ଚୀନ୍ ନିଜର ଆଣବିକ ଶକ୍ତିକୁ ଦ୍ରୁତଗତିରେ ବୃଦ୍ଧି କରୁଛି। ନିଜର ସ୍ଥଳ, ସମୁଦ୍ର ଏବଂ ବାୟୁ ଆଧାରିତ ଆଣବିକ ବିତରଣ ପ୍ଲାଟଫର୍ମକୁ ଅଧିକ ବିନିଯୋଗକ୍ଷମ ଏବଂ ବିସ୍ତାର କରୁଛି। ଆମେରିକା ଅଧିକାରୀମାନେ ବର୍ଷେ ତଳେ ଯାହା ଆକଳନ କରିଥିଲେ ଏବେ ତା’ଠାରୁ ଅଧିକ ବେଗରେ ଚାଇନା ପରମାଣୁ କ୍ଷମତା ବଢ଼ାଇଛି। ଆସନ୍ତା ୬ ବର୍ଷ ମଧ୍ୟରେ ଅର୍ଥାତ ୨୦୨୭ ବେଳକୁ ଚାଇନାର ଆଣବିକ ଅସ୍ତ୍ର ସଂଖ୍ୟା ୭୦୦ରେ ପହଞ୍ଚିଯିବ। ସେହିପରି ୨୦୩୦ ବେଳକୁ ଏହା ୧ହଜାରରୁ ଅଧିକ ହୋଇପାରେ। ତେବେ ରିପୋର୍ଟରେ ଚାଇନା ପାଖରେ ବର୍ତ୍ତମାନ କେତେ ସଂଖ୍ୟକ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି ସେକଥା କୁହାଯାଇ ନାହିଁ। ଗୋଟିଏ ବର୍ଷ ତଳେ ପେଣ୍ଟାଗନ କହିଥିଲା ଯେ ବର୍ତ୍ତମାନ ଚାଇନାର ପରମାଣୁ ଅସ୍ତ୍ର ସଂଖ୍ୟା ୨୦୦ରୁ କମ ରହିଛି। କିନ୍ତୁ ଦଶବର୍ଷ ମଧ୍ୟରେ ଏହା ଦୁଇ ଗୁଣ ହୋଇଯିବ। ହେଲେ ବର୍ଷକ ମଧ୍ୟରେ ପେଣ୍ଟାଗନର ରିପୋର୍ଟ ବଦଳି ଯାଇଛି। ମହାମାରୀ କରୋନା ସହ ସାରା ବିଶ୍ୱ ଲଢ଼ୁଥିବା ବେଳେ ଚାଇନା ତା’ର ପରମାଣୁ ଶକ୍ତି ବୃଦ୍ଧି କରୁଥିବା ଆଶଙ୍କା କରାଯାଉଛି। ଆଣବିକ କ୍ଷମତା ସମ୍ପନ୍ନ ବାୟରେ ଉତ୍କ୍ଷେପଣ ହୋଇ ପାରୁଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଏଏଲବିଏମ୍)ର ବିକାଶ ଏବଂ ଏହାର ସ୍ଥଳ ଏବଂ ସମୁଦ୍ର ଭିତ୍ତିକ ଆଣବିକ ସାମର୍ଥ୍ୟର ଉନ୍ନତି ସହିତ ଚୀନ୍ ସରକାର ଏକ ନୂତନ ଆଣବିକ ତ୍ରିକୋଣ ପ୍ରତିଷ୍ଠା କରିସାରିଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସୂଚନା ଯେ, ବର୍ତ୍ତମାନ ଆମେରିକା ପାଖରେ ୩ ହଜାରରୁ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି। ଆମେରିକା ଏହାକୁ ବୃଦ୍ଧି କରିବା ମୁଡରେ ନାହିଁ। ସେହିପରି ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ନିୟମିତ ଭାବେ ପରମାଣରୁ ନୀତିର ସମୀକ୍ଷା କରୁଛନ୍ତି।
