ଦ୍ରାବିଡ଼ ଭାରତୀୟ କ୍ରିକେଟ ଦଳର ନୂଆ ମୁଖ୍ୟ କୋଚ୍
ମୁମ୍ବାଇ : ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଭାରତୀୟ କ୍ରିକେଟର ଅନ୍ୟତମ ମହାନ ଖେଳାଳି ତଥା ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି । ସେ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଘରୋଇ ସିରିଜରୁ ଦାୟିତ୍ୱ ଗ୍ରହଣ କରିବେ। ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି । ବିସିସିଆଇର କ୍ରିକେଟ ପରାମର୍ଶଦାତା କମିଟି ସର୍ବସମ୍ମତିକ୍ରମେ ଦ୍ରାବିଡ଼ଙ୍କ ନାଁରେ ମୋହର ମାରିଛି । ଭାରତୀୟ ଟିମର କୋଚ ହେବା ସମ୍ମାନର ବିଷୟ ବୋଲି ରାହୁଲ କହିଛନ୍ତି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦ୍ରାବିଡ଼ଙ୍କ ନିଯୁକ୍ତିକୁ ସ୍ବାଗତ କରିଛନ୍ତି । ରାହୁଲଙ୍କର ଏକ ଉଲ୍ଲେଖନୀୟ କ୍ୟାରିୟର ରହିଛି ଓ ସେ ଜଣେ ମହାନ ଖେଳାଳି ବୋଲି ଗାଙ୍ଗୁଲି କହିଛନ୍ତି ।
ସଂପ୍ରତି କୋଚ ଥିବା ରବି ଶାସ୍ତ୍ରୀଙ୍କର କାର୍ଯ୍ୟକାଳ ଶେଷ ହେଇ ଯାଇଛି। ଭାରତୀୟ କ୍ରିକେଟ ଦଳର ଦଳର ମୁଖ୍ୟ ପ୍ରଶିକ୍ଷକ ବା କୋଚ ଦାୟିତ୍ୱ ଦେବାକୁ ଦ୍ରାବିଡ ସବୁ ସମୟରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ)ର ଇଛା ରହିଆସିଥିଲା । ବିସିସିଆଇ ସଂପାଦକ ଜୟ ଶାହ ଏବଂ ସଭାପତି ସୌରଭ ଗାଙ୍ଗୁଲି ତାଙ୍କୁ ପରିଶେଷରେ ଏହି ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଥିଲେ । ଉଭୟ ତାଙ୍କ ସହିତ କଥା ହେବାପରେ ଦ୍ରାବିଡ ରାଜି ହୋଇଥିବା ଜଣା ପଡିଥିଲା। ଅଧିକରୁ ଅଧିକ ଯୁବ ପ୍ରତିଭାବାନ ଖେଳାଳିମାନେ ଭାରତୀୟ କ୍ରିକେଟ ଦଳକୁ ଆସୁଥିବା ସମୟରେ ଦଳ ସେମାନଙ୍କୁ ନେଇ ବ୍ୟାପକ ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ କରିଛି । ସେମାନେ ସମସ୍ତେ ଦ୍ରାବିଡଙ୍କ ସହିତ କାମ କରିସାରିଛନ୍ତି ଏବଂ ଦ୍ରାବିଡଙ୍କୁ ନେଇ ଭାରତୀୟ କ୍ରିକେଟ ଦଳ ବିଶ୍ୱରେ ଏକ ମ୍ୟାଚ ବିଜୟୀ ଦଳ ଭାବରେ ତାହାର ଯାତ୍ରା ଜାରି ରଖିପାରିବ ବୋଲି ଅନେକ କ୍ରୀଡା ବିଶେଷଜ୍ଞ ମତ ପୋଷଣ କରିଛନ୍ତି ।
