ଟି-୨୦ ବିଶ୍ୱକପ୍ : ବିଜୟର ସ୍ୱାଦ ଚାଖିଲା ଭାରତ, ଆଫଗାନିସ୍ତାନ ୬୬ ରନରେ ପରାସ୍ତ
ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ବୁଧବାର ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ ଗ୍ରୁପ-୨ର ଏକ ମ୍ୟାଚରେ ଭାରତ ଆଫଗାନିସ୍ତାନ ମୁହାଁମୁହିଁ ହୋଇଥିଲେ। ଲଗାତାର ପରାଜୟ ପରେ ଏହି ମ୍ୟାଚରେ ଆଫଗାନିସ୍ତାନକୁ ଶୋଚନୀୟ ଭାବେ ୬୬ ରନରେ ପରାସ୍ତ କରି ବିଜୟର ସ୍ୱାଦ ଚାଖିଛି ଭାରତ। ପ୍ରଥମ ଦୁଇଟି ମ୍ୟାଚ୍ରେ ଅପ୍ରତ୍ୟାଶିତ ପରାଜୟ ପରେ ଆଫଗାନିସ୍ତାନ ମୁକାବିଲାରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛି ଭାରତୀୟ ଦଳ। ନିଜର ତୃତୀୟ ମୁକାବିଲାରେ ଭାରତ ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଏବଂ ଆର ଅଶ୍ଵିନଙ୍କ ଶାଣିତ ବୋଲିଂ ଭାରତକୁ ବିଜୟ ଆଣି ଦେଇଛି । ଏଥିସହ ବିଶ୍ଵ କପ୍ରେ ସେମି ଫାଇନାଲ୍ ଆଶାକୁ ଉଜ୍ଜୀବିତ ରଖିଛି ବିରାଟ ବାହିନୀ। ଏବେ ଭାରତୀୟ ଦଳର ବିଶ୍ଵ କପ୍ ଅଭିଯାନ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମୁକାବିଲା ଉପରେ ନିର୍ଭର କରିବାକୁ ପଡିବ।
ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ରାହୁଲ୍ ଓ ରୋହିତ। ଦୁହେଁ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। ଆରମ୍ଭରୁ ଦୁଇ ବ୍ୟାଟସମ୍ୟାନ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ନିଜ ଅଭିଜ୍ଞତାକୁ ଉପଯୋଗ କରି ଚୌକା ଓ ଛକା ମାଡ କରିଥିଲେ। ଏହି କ୍ରମରେ ଦୁଇ ବ୍ୟାଟସମ୍ୟାନ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ଯୋଡିକୁ ଭାଙ୍ଗିବା ପାଇଁ ଆଫଗାନିସ୍ତାନକୁ ୧୫ ତମ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ୧୪.୪ ଓଭରରେ ରୋହିତ ଓ ରାହୁଲ ଓପନିଂ ଯୋଡିରେ ୧୪୦ ରନ ଯୋଡି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ରୋହିତ ଶର୍ମା ୪୭ ବଲ୍ରୁ ୮ ଚୌକା ଓ ୩ ଛକା ସହ ୭୪ ରନର ଦମଦାର ଇନିଂସ ଖେଳିଥିଲେ। ଏହା ପରେ କେଏଲ ରାହୁଲ ୪୮ ବଲ୍ରୁ ୬୯ ରନ କରି ପାଭିଲିୟନ ଫେରିଥିଲେ। ଏଥିରେ ୬ ଚୌକା ଓ ୨ ଛକା ସାମିଲ୍। ଦୁଇ ଓପନର ପାଭିଲିୟନ ଫେରିବା ପରେ ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଥିଲେ। ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ଆଜି ନିଜର ପୁରୁଣା ଫର୍ମରେ ନଜର ଆସିଥିଲେ। ଦୁଇ ବ୍ୟାଟସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ପ୍ରଥମ ଥର ଚଳିତ ବିଶ୍ଵ କପ୍ରେ ସ୍କୋର ୨୦୦ ଅତିକ୍ରମ କରିଛି। ଭାରତ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୨୧୦ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲ୍ରୁ ୪ ଚୌକା ଓ ୨ ଛକା ସହ ୩୫ ରନ ଏବଂ ପନ୍ତ ୧୩ ବଲ୍ରୁ ୧ ଚୌକା ଓ ୩ ଛକା ସହ ୨୭ ରନରେ ଅପରାଜିତ ଥିଲେ। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ତୃତୀୟ ଓ୍ଵିକେଟ୍ରେ ୬୩ ରନ ଯୋଡିଛନ୍ତି।
୨୧୧ ରନର ବିଶାଳ ଲକ୍ଷ୍ୟ ପିଛା କରିଥିବା ଆଫଗାନିସ୍ତାନ ୧୩ ରନରେ ଦୁଇ ଓପନର ମହମ୍ମଦ ଶେହଜାଦ(୦) ଓ ହଜରତୁଲ୍ଲା ଜଜାଇ(୧୩)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥଲା। ରହମନତୁଲ୍ଲା(୧୯), ଗୁଲବଦିନ ଗୁରବଜ(୧୮), ନଜିବୁଲ୍ଲା ଜରଦାନ(୧୧) ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ମହମ୍ମଦ ନବି ୩୫ ରନର ଅଧିନାୟକ ଇନିଂସ ଖେଳିଥିଲେ। କରିମ ଜନତ ଦ୍ରୁତ ବ୍ୟାଟିଂ କରି ମାତ୍ର ୨୨ ବଲ୍ରୁ ୪୨ ରନର ଅପରାଜିତ ଇନିଂସ ଖେଳିଥିଲେ। ଏଥିରେ ୩ ଚୌକା ଓ ୨ ଛକା ସାମିଲ। ଦଳ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରିନଥିଲା। ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ଆଫଗାନିସ୍ତାନ ୧୪୪ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ମ୍ୟାଚ୍କୁ ୬୬ ରନରେ ହରାଇ ପ୍ରଥମ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଦୀର୍ଘ ଦିନ ପରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ରବିଚନ୍ଦ୍ରନ ଅଶ୍ଵିନ ୪ ଓଭରରେ ୧୪ ରନ ଦେଇ ୨ ଓ୍ଵିକେଟ୍ ନେଇଥିଲେ। ମହମ୍ମଦ ଶାମି ୩ ଓ୍ଵିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।


