ନୀଳଗିରି ବ୍ଲକ ସମେତ ବିଭିନ୍ନ ପଞ୍ଚାୟତରେ ଦୁର୍ନୀତି : ଭିଜିଲାନ୍ସ ଓ ସ୍ପେଶାଲ ଅଡିଟ୍ ଦାବୀରେ ଗଣଧାରଣା
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସମେତ ବିଭିନ୍ନ ପଞ୍ଚାୟତରେ ହୋଇଥିବା ଦୁର୍ନୀତି ପ୍ରତିବାଦରେ ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ନୀଳଗିରି ବ୍ଲକ ସମ୍ମୁଖରେ ଏକ ଗଣଧାରଣା ଦିଆଯାଇଥିଲା । ଏଥିରେ ୩ଶହରୁ ଉର୍ଦ୍ଧ୍ୱ ଲୋକ ଯୋଗଦେଇଥିଲେ । ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତା କରି ବ୍ଲକରେ କିଭଳି ବ୍ୟାପକ ଦୁର୍ନୀତି ହେଉଛି ତାହାର ପୁଙ୍ଖାନୁପୁଙ୍ଖ ବିବୃତି ଦେଇଥିଲେ । ବ୍ଲକରେ ପ୍ରତ୍ୟେକ କାମରେ ୨୦% ପିସି ନେଉଥିବା ବେଳେ ଠିକାଦାର ଏବଂ କିଛି ନେତାଙ୍କର ୨୦% ପିସି ବାଟମାରଣା ହେଉଥିବା ବେଳ ମାତ୍ର ୪୦% କାମ ହେଉଥିବାର କହିଥିଲେ । କେତେବେଳେ କାମ ନହୋଇ ଫଲ୍ସ ବିଲ୍ ପୈଠ ହେଉଛି । ଏହିପରି ସରକାରଙ୍କ କୋଟି କୋଟି ଟଙ୍କା ବାଟମାରଣା ହେଉଥିବାର ଅଭିଯୋଗ ଆଣିଥିଲେ । ସରକାର ଯଦି ଏହାର ଭିଜିଲାନ୍ସ ତଦନ୍ତ ସହିତ ସ୍ପେଶାଲ ଅଡ଼ିଟ୍ କରନ୍ତି ତା’ହେଲେ ଲୋକମାନଙ୍କ ପାଇଁ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼େଇ କରିବେ ବୋଲି କହିଥିଲେ । ଏଥିସହିତ ୨ଦିନ ପୂର୍ବରୁ ବ୍ଳକର ଦୁର୍ନୀତିଗ୍ରସ୍ତ ବିଡିଓଙ୍କୁ ଜିଲାପାଳ ସ୍ଥାନାନ୍ତର କରିଥିବାରୁ ଜିଲାପାଳଙ୍କୁ ଧନ୍ୟବାଦ ଦେଇଥିଲେ ।
ଗଣଧାରଣାରେ କୃଷକ କଂଗ୍ରେସର ରାଜ୍ୟ ସମ୍ପାଦକ ଯଶୋଦା ନନ୍ଦନ ସିଂ ପ୍ରଥମେ ସ୍ୱାଗତ ଭାଷଣ ଦେଇଥିଲେ । କେନ୍ଦ୍ର ଓ ରାଜ୍ୟସରକାରଙ୍କର ବିଭିନ୍ନ ଯୋଜନାକୁ କିଭଳି ଭାବରେ ନୀଳଗିରି ବ୍ଲକରେ ବାଟ ମାରଣା ହେଉଛି ତାହାର ଅବଧାରଣା କରିଥିଲେ । ଏହି ଧାରଣାରେ ନୀଳଗିରି ବ୍ଲକ ସଭାପତି ମନୋରଞ୍ଜନ ପଣ୍ଡା ସଦାସର୍ବଦା ଲୋକଙ୍କ ସହିତ ରହିଛି, ଦରକାର ପଡ଼ିଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ବୋଲି ଦୃଢ଼ ଚେତାବନୀ ଦେଇଥିଲେ । ସିପିଆଇ ନେତା କୈଳାସ ପଣ୍ଡା, ଜିଲା ସିପିଆଇ ସମ୍ପାଦକ ନିରଞ୍ଜନ ବାରିକ, ବିଜୟ ସ ପ୍ରମୁଖ ଉଦ୍ବୋଧନ ଦେଇ କେନ୍ଦ୍ର ଓ ରାଜ୍ୟସରକାରଙ୍କ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ପ୍ରାୟ ମଧ୍ୟାହ୍ନ ୨ଟା ସମୟରେ ନୀଳଗିରି ଉପଜିଲାପାଳ ହରିଶ୍ ଚନ୍ଦ୍ର ଜେନା ଧାରଣାସ୍ଥଳକୁ ଆସି ଧାରଣାକରୀଙ୍କ ୨ଟି ଦାବିକୁ ସରକାରଙ୍କୁ ଜଣାଇବା ସହିତ ଉଚିତ୍ ପଦକ୍ଷେପ ନେବେ ବୋଲି କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
