ବାଲେଶ୍ୱର ମାଣିଖମ୍ବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
- ଓଡ଼ିଶା ଜେଇଇ ମେନ ଓ ଆଡ୍ଭାନ୍ସଡ଼ ଟପ୍ପର ଗୌତମ ସାହୁ ଏବଂ ଶିକ୍ଷାପ୍ରେମୀ ତୁଳସୀ ରଞ୍ଜନ ମିଶ୍ରଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର : ବାଲେଶ୍ୱର ସହରର ମାଣିଖମ୍ବ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ରମାକାନ୍ତ ବେହେରା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଭା ବିକାଶରେ ସ୍ୱରସ୍ୱତୀ ବିଦ୍ୟାମନ୍ଦିରର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଭାରତୀୟ ପୁରାତନ ସଂସ୍କୃତି ସମ୍ବଳିତ ଗୁରୁ ଶିଷ୍ୟ ପରମ୍ପରା ଆଧାରରେ ଶିକ୍ଷାଦାନ ଛାତ୍ରଛାତ୍ରୀମାନଙ୍କୁ ସଫଳତାର ଶୀର୍ଷସ୍ଥାନକୁ ନେଇଯାଇଥାଏ ବୋଲି ସେ ମତପ୍ରକାଶ କରିଥିଲେ ।
ଭାରତୀୟ ପ୍ରଚାର ସଂସ୍କୃତି ଜିଲ୍ଲା କାର୍ଯ୍ୟକାରୀ ସଭାପତି ରଘୁନାଥ ପାତ୍ର ଓ ଶିକ୍ଷା ବିକାଶ ସମିତି ବାଲେଶ୍ୱର ସଙ୍କୁଳ ପ୍ରମୁଖ ଉପେନ୍ଦ୍ର କୁମାର ପାତ୍ର ଏଥିରେ ବରେଣ୍ୟ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିବାନୀ ଶଙ୍କର ପଣ୍ଡା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ପୁରୁଜିତ୍ ମୁନି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମ୍ୟାଟ୍ରିକ, ଉଚ୍ଚ ମାଧ୍ୟମିକ, ଓଡିଶା ଜେଇଇ ମେନ ଓ ଆଡ୍ଭାନ୍ସଡ ପରୀକ୍ଷାରେ ଟପ୍ପର ହୋଇଥିବା ବିଦ୍ୟାଳୟର ପୂର୍ବତନ ଛାତ୍ର ଗୌତମ ଦାସଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ତାଙ୍କ ପିତାମାତାଙ୍କୁ ମଧ୍ୟ ଅତିଥିମାନେ ସମ୍ମାନୀତ କରିଥିଲେ । ସେହିପରି ବାଲେଶ୍ୱରର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଅବସରପ୍ରାପ୍ତ ପ୍ରବନ୍ଧକ ତଥା ବୟୋଜ୍ୟେଷ୍ଠ ଶିକ୍ଷାପ୍ରେମୀ ତୁଳସୀ ରଞ୍ଜନ ମିଶ୍ରଙ୍କୁ ମଧ୍ୟ ବିଦ୍ୟାଳୟ ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, କର୍ମଚାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ ।
