ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି । କୋଭିଡ କଟକଣା କୋହଳ ହେବା ପରେ ପାଠ୍ୟକ୍ରମ ଆରମ୍ଭ ହୋଇଥିଲେ ବି ଏ ପର୍ଯ୍ୟନ୍ତ ନିର୍ଦ୍ଧାରିତ କୋର୍ସ ସାରି ପାରି ନଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି । ତେବେ କଲେଜ ପକ୍ଷରୁ ହଠାତ୍ ପରୀକ୍ଷା କରାଯିବାକୁ ନିଷ୍ପତ୍ତିର ଦୃଢ଼ ପ୍ରତିବାଦ କରିଛନ୍ତି ଛାତ୍ରୀଛାତ୍ର । କମ ସମୟ ଭିତରେ ପାଠପଢ଼ି ସେମାନେ କିପରି ପରୀକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି ।
କଲେଜରେ ୟୁଜି ଓ ପିଜି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପାଠ୍ୟକ୍ରମ ସମୟ ଅନୁସାରେ ଶେଷ ହୋଇ ନାହିଁ । ୫୦ ପ୍ରତିଶତ ପାଠାପଢ଼ା ଅନଲାଇନରେ ହୋଇଥିବାବେଳେ ମାତ୍ର ୨୫ ପ୍ରତିଶତ ଅଫଲାଇନରେ ହୋଇଛି । ପାଠପଢ଼ା ସମୂର୍ଣ୍ଣ ଶେଷ ହୋଇନାହିଁ । କୋର୍ସ ସାରିବା ଉପରେ କଲେଜ କର୍ତ୍ତୃପକ୍ଷ ଧ୍ୟାନ ନ ଦେଇ ତୃତୀୟ ସପ୍ତାହରେ ପରୀକ୍ଷା କରିବାକୁ ଘୋଷଣା କରିଥିଲେ । ଏବେ କର୍ତ୍ତୃପକ୍ଷ ହଠାତ୍ ୮ ତାରିଖରେ ପରୀକ୍ଷା ପାଇଁ ନୋଟିସ ଜାରି କରିଦେଇଛନ୍ତି । ଯାହାର ପ୍ରତିବାଦ କରିଛନ୍ତି ଛାତ୍ରୀଛାତ୍ର । ଚାରିଦିନ ଭିତରେ କିପରି ସମ୍ପୂର୍ଣ୍ଣ କୋର୍ସ ଶେଷ କରି ପରୀକ୍ଷା ଦେବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରୀଛାତ୍ର । ଅନଲାଇନରେ ୫୦ ପ୍ରତିଶତ ମାର୍କର ପରୀକ୍ଷା ନେଇ ବ୍ୟବସ୍ଥା ହୋଇଛି । ମାତ୍ର ଛାତ୍ରୀଛାତ ସମସ୍ତ ପରୀକ୍ଷା ଅନଲାଇନରେ କରାଇବାକୁ ଦାବି ଜଣାଇଛନ୍ତି । ଯଦି କଲେଜ କର୍ତ୍ତୃପକ୍ଷ ଅନଲାଇନ ପରୀକ୍ଷା ପାଇଁ ରାଜି ନ ହୁଅନ୍ତି ତାହେଲେ ପରୀକ୍ଷାକୁ ଘୁଞ୍ଚାଇବାକୁ ଛାତ୍ରୀଛାତ୍ର ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
