ଟି-୨୦ ବିଶ୍ୱକପ୍ : ଆଜି ଭାରତ-ଆଫଗାନିସ୍ତାନ କର ବା ମର ମୁକାବିଲା, ଭାରତ ଜିତିଲେ ସେମିଫାଇନାଲ ରାସ୍ତା, ହାରିଲେ ବିଦା
ଆବୁଧାବି : ଆଜି ଟି-୨୦ ବିଶ୍ୱକପ୍ରେ ଭାରତ ଓ ଆଫଗାନିସ୍ତାନ ମୁକାବିଲା । ଗ୍ରୁପ-୨ର ଏହି ମ୍ୟାଚ୍ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେମି ଫାଇନାଲ୍ ଆଶା ବଞ୍ଚାଇ ରଖିବାକୁ ହେଲେ ଏହି ମ୍ୟାଚ୍ ଭାରତ ପାଇଁ ଶେଷ ସୁଯୋଗ । ଏହି ମ୍ୟାଚ୍ରେ ଯଦି ଭାରତ ପରାସ୍ତ ହୁଏ, ତେବେ ସେମିଫାଇନାଲ ଖେଳିବା ଆଶା ହୋଇଯିବ । ଖାଲି ସେତିକି ନୁହେଁ, ବଡ଼ ବ୍ୟବଧାନରେ ମଧ୍ୟ ଆଫଗାନିସ୍ତାନକୁ ହରାଇବାକୁ ପଡ଼ିବ । ଏହାପରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ୭ ତାରିଖରେ ହେବାକୁ ଥିବା ମ୍ୟାଚ୍ ଫଳାଫଳକୁ ଅପେକ୍ଷା କରିବାକୁ ହେବ । ଦୁବାଇ ଭଳି ଆବୁଧାବିରେ ମଧ୍ୟ ପଛୁଆ ବ୍ୟାଟିଂ କରୁଥିବା ଦଳ ବିଜୟୀ ହେବାର ସମ୍ଭାବନା ଅଧିକ ରହିଛି। ଅତୀତ ପରିସଂଖ୍ୟାନରୁ ଏହା ସ୍ପଷ୍ଟ ହୋଇଯାଏ। ଆବୁଧାବିରେ ଖେଳାଯାଇଥିବା ଗତ ୮ ମ୍ୟାଚ୍ରୁ ପଶ୍ଚାତଧାବନ କରିଥିବା ଦଳ ୬ଟିରେ ବିଜୟୀ ହୋଇଛି। ରସିଦ ଖାନଙ୍କ ବିପକ୍ଷରେ କେଏଲ୍ ରାହୁଲ ସବୁ ବେଳେ ସଂଘର୍ଷ କରନ୍ତି। ରସିଦଙ୍କ ୩୦ ବଲ୍ର ସମ୍ମୁଖୀନ ହୋଇ ରାହୁଲ ମାତ୍ର ୧୮ ରନ୍ କରିଥିଲା ବେଳେ ୩ ଥର ଆଉଟ୍ ହୋଇଛନ୍ତି।
ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ କ୍ରିକେଟ୍ ଦଳ ବୁଧବାର ଆଫ୍ଗାନିସ୍ତାନ ରୂପରେ ଆଉ ଏକ ଉତ୍ସାହୀ ଓ ଆତ୍ମବିଶ୍ବାସରେ ଭରପୁର ପ୍ରତିପକ୍ଷକୁ ଭେଟିବ। ଅନଭିଜ୍ଞ ଆଫ୍ଗାନିସ୍ତାନ ଦୁଇଟି ବୃହତ୍ ବିଜୟ ହାସଲ କରି ୪ ପଏଣ୍ଟ ପାଇସାରିଛି। ତା’ ଛଡ଼ା ଏହି ଦଳର ନେଟ୍ ରନ୍ ରେଟ୍ ଗ୍ରୁପ୍-୨ରେ ସବୁଠୁ ଭଲ ରହିଛି। ଆଉ ଗୋଟିଏ ବିଜୟ ହାସଲ କଲେ ଆଫ୍ଗାନିସ୍ତାନ ମଧ୍ୟ ସେମିଫାଇନାଲ୍ ଯିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ପ୍ରମୁଖ ଦାବିଦାର ଥିବା ଭାରତ ଏପର୍ଯ୍ୟନ୍ତ ବିଜୟ ଖାତା ଖୋଲି ପାରିନଥିଲା ବେଳେ ୬ ଦଳୀୟ ଗ୍ରୁପ୍ର ପଞ୍ଚମ ସ୍ଥାନରେ ରହିଛି। ତା ଛଡ଼ା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିବା ପରେ ଭାରତୀୟ ଖେଳାଳିମାନେ ପ୍ରଶଂସକଙ୍କ ରୋଷର ଶିକାର ହୋଇଛନ୍ତି। ଏପରିକି ଭାରତୀୟ ଖେଳାଳିଙ୍କ ପରିବାରବର୍ଗଙ୍କୁ ମଧ୍ୟ ଏହି ଲଜ୍ଜାଜନକ ପ୍ରଦର୍ଶନ ପାଇଁ ଧମକ ଚମକ ମିଳୁଛି। ଫଳରେ ଭାରତୀୟ ଖେଳାଳିଙ୍କ ମାନସିକ ସ୍ଥିତି ସେତେଟା ଭଲ ନାହିଁ। ଏଭଳି ସ୍ଥିତିରେ ବୁଧବାର ପୁଣି ଥରେ ଭାରତୀୟ ଦଳ ଘୋର ଚାପରେ ଥାଇ ପଡ଼ିଆକୁ ଓହ୍ଲାଇବ। ଦଳ ଯାହା ପରୀକ୍ଷା ନିରୀକ୍ଷା କରିଛି ସବୁ ଏକପ୍ରକାର ବିଫଳ ହୋଇଛି। ସେଥିପାଇଁ ଆଫ୍ଗାନିସ୍ତାନ ବିପକ୍ଷରେ ଭାରତର ଚୂଡ଼ାନ୍ତ ଏକାଦଶ କିଭଳି ହେବ ଏବଂ ଓପନିଂ କିଏ କରିବ, ସେ ପ୍ରଶ୍ନ ସମର୍ଥକଙ୍କୁ ଆନ୍ଦୋଳିତ କରୁଛି। ଦୁଇଟି ବଡ଼ ପରାଜୟ ପରେ ଭାରତର ସେମିଫାଇନାଲ୍ ଆଶା ଏକ ପ୍ରକାର ମଉଳି ଯାଇଛି। ତଥାପି ଗାଣିତିକ ହିସାବ ଅନୁସାରେ ଟିମ୍ ଇଣ୍ଡିଆ ସେମିଫାଇନାଲ୍ ଖେଳିବାର ସମ୍ଭାବନା ସଂପୂର୍ଣ୍ଣ ଦୂର ହୋଇନି। ଏଭଳି ସ୍ଥିତିରେ କେବଳ ବଡ଼ ଧରଣର ଚମତ୍କାର ହିଁ କୋହଲି ବାହିନୀକୁ ସେମିଫାଇନାଲ୍ ନେଇ ପାରିବ। କାରଣ ସେମି ଆଶା ଉଜ୍ଜୀବିତ ରଖିବାକୁ ହେଲେ ବି ଭାରତକୁ ଆଫ୍ଗାନିସ୍ତାନକୁ ବଡ଼ ବ୍ୟବଧାନରେ ହରାଇବାକୁ ପଡ଼ିବ। ହେଲେ ଆଫଗାନିସ୍ତାନ ୨୦୧୯ ଏକଦିବସୀୟ ବିଶ୍ବକପ୍ରେ ଭାରତକୁ ପୂରା ପାଣି ପିଆଇ ଦେଇଥିଲା। ଅବଶ୍ୟ ଭାରତ ୨୦୧୦ ଓ ୨୦୧୨ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଆଫ୍ଗାନିସ୍ତାନକୁ ହରାଇଥିଲା। ଏବେ ଆଫ୍ଗାନିସ୍ତାନ ପାଇଁ ଭାରତକୁ ପ୍ରଥମ ଥର ହରାଇବାର ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି।
ସମ୍ଭାବ୍ୟ ଦଳ :
ଭାରତ: ରୋହିତ ଶର୍ମା, ଇଶାନ କିଷନ, ବିରାଟ କୋହଲି(ଅଧିନାୟକ), ଲୋକେଶ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସର୍ଦୁଲ ଠାକୁର, ମହମ୍ମଦ ସାମି/ରବି ଚନ୍ଦ୍ରନ ଅଶ୍ୱିନ, ବରୁଣ ଚକ୍ରବର୍ତ୍ତୀ, ଜଶପ୍ରୀତ ବୁମରା ।
ଆଫଗାନିସ୍ତାନ: ହଜରତୁଲ୍ଲା ଜାଜାଇ, ମହମ୍ମଦ ସାହଜାଦ, ରହମତୁଲ୍ଲା ଗୁରବାଜ, ହସମତୁଲ୍ଲା ସାହିଦି, ମହମ୍ମଦ ନବି, ନଜିବୁଲ୍ଲା ଜାଡ୍ରାନ, ଗୁଲବଦିନ ନାଏବ, ରସିଦ ଖାନ, ମୁଜିବ ଉର ରେହମାନ, ନବୀନ ଉଲ-ହକ, ହମିଦ ହାସାନ ।
