ଦିଲ୍ଲୀରେ ଦୀପାବଳି ଫିକା, ବାଣ ଫୁଟେଇଲେ ହେବ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଦୀପାବଳି ହେବ ଫିକା । ଦିଲ୍ଲୀରେ ବାଣ କିଣାବିକା ଓ ଫୁଟେଇବା ଉପରେ ପୋଲିସ ଓ ସବଡିଭିଜିନାଲ ମାଜିଷ୍ଟ୍ରେଟ୍ (ଏସଡିଏମ)ଙ୍କ କଡା ନଜର ରହିବ। ବାୟୁ ପ୍ରଦୂଷଣକୁ ନଜରରେ ରଖି ୨୪ ଘଣ୍ଟିଆ ସତର୍କତା ଅବଲମ୍ବନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିବା ପରିବେଶ ମନ୍ତ୍ରୀ ଗୋପାଲ ରାୟ କହିଛନ୍ତି। ଦିଲ୍ଲୀ କେନ୍ଦ୍ର ସ୍ଥଳ ଅପେକ୍ଷା ସୀମାବର୍ତ୍ତି କ୍ଷେତ୍ରରେ ଲୋକେ ଧୁମଧାମରେ ଦୀପାବଳି ପାଳନ କରନ୍ତି। ଏଣୁ ସେହି ସବୁ କ୍ଷେତ୍ର ଉପରେ ଏଥର ବିଶେଷ ଦୃଷ୍ଟି ଦିଆଯିବ ବୋଲି ରାୟ କହିଛନ୍ତି।
ଏଣୁ ରାଜଧାନୀରେ ଏବେ ଆଣ୍ଟି କ୍ରାକର ଅଭିଯାନ ଚଳାଯାଇଥିବା ବେଳେ ଏପର୍ଯ୍ୟନ୍ତ ୧୨ ହଜାର ୯୫୭ କେଜି ବାଣ ଜବତ କରାଯିବା ସହ ୩୨ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଛି। ଏଣୁ ରାଜଧାନୀରେ ଏ ବର୍ଷ ବି ଲୋକେ ଦୀପ ଜାଳି ଦୀପାବଳି ପାଳନ କରନ୍ତୁ ବୋଲି ପରିବେଶମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍ତି। ରାଷ୍ଟ୍ରୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ଏପରି ସ୍ତରରେ ପହଞ୍ଚିଛି ଯେ ଏଥିରେ ଦୀପାବଳୀ ଆତସବାଜୀ ଲୋକଙ୍କ ମୃତ୍ୟୁର କାରଣ ବି ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଏଣୁ ରାଜଧାନୀରେ କେଉଁଠି ବି କିଏ ବାଣ କିଣା,ବିକା କଲେ ଅଥବା ଆତସବାଜୀ କଲେ ଲୋକେ ପୋଲିସକୁ ୧୧୨ ନମ୍ବରରେ ଫୋନ କରି ସୂଚିତ କରିପାରିବେ ବୋଲି ରାୟ କହିଛନ୍ତି। ଦିଲ୍ଲୀ ସରକାର ରାଜଧାନୀରେ ‘ୟୁଦ୍ଧ, ପ୍ରଦୂଷଣ ବିରୋଧରେ’ ଅଭିଯାନ ହାତକୁ ନେଇଛନ୍ତି। ଯେଉଁଥିରେ ଆଣ୍ଟିଡଷ୍ଟ, ରେଡଲାଇଟ୍ ଅନ୍ କି ଅଫ ଅଭିଯାନ ମଧ୍ୟ ଚାଲିଥିବା ରାୟ କହିଛନ୍ତି। ରାୟ କହିଛନ୍ତି ଯେ ଚଳିତବର୍ଷ ଦୀପାବଳୀ ଆମେ ଧୁମଧାମରେ ପାଳନ କରିବା, ପ୍ରଦୀପରୁ ଆଲୋକ ବିଛୁରିତ ହେବ, ବାଣରୁ ପ୍ରଦୂଷଣ ବ୍ୟାପିବ। ଏଣୁ ଦାୟିତ୍ୱବାନ ଭାବେ ଆମକୁ ଦୀପାବଳି ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି।
