ରାସ୍ତା ଏବଂ ସର୍ବସାଧାରଣ ସ୍ଥାନରେ ବାଣ ଫୁଟାଇବା ମନା, ଅବମାନନା କଲେ ଦଣ୍ଡିତ ହେବେ
- ଦୀପାବଳି କଟକଣା କଡାକଡି ପାଳନ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ରାଜ୍ୟରେ ଆଲୋକର ପର୍ବ ଦୀପାବଳି ପାଳନ ନିମନ୍ତେ ସୁପ୍ରିମକୋର୍ଟ, ଓଡ଼ିଶା ହାଇକୋର୍ଟ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ରାଜ୍ୟର ସମସ୍ତ ଜିଲାପାଳ, ଏସପି ଏବଂ ପୋଲିସ କମିସନରଙ୍କୁ ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, କେବଳ ପେଟ୍ରୋଲିୟମ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନ ଦ୍ୱାରା ପ୍ରମାଣିତ ହୋଇଥିବା ବାଣ ବିକ୍ରି ହେବ ଓ ଏଥିରେ ଖିଲାପ ହେଲେ ସମ୍ପୃକ୍ତ ବିକ୍ରେତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରବେଶ ଅନୁକୂଳ ସବୁଜ ବାଣ ବିକ୍ରି ପାଇଁ କୌଣସି ବ୍ୟବସାୟୀ କିମ୍ବା ଖୁଚୁରା ବ୍ୟବସାୟୀଙ୍କୁ ସମ୍ପୃକ୍ତ ଜିଲାର ଜିଲାପାଳ କିମ୍ବା ପୋଲିସ କମିଶନରଙ୍କ ଠାରୁ ବିକ୍ରୟ ପାଇଁ ବୈଧ ଲାଇସେନ୍ସ ନେବାକୁ ପଡିବ। ଶ୍ରୀ ମହାପାତ୍ର ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ରାସ୍ତା ଏବଂ ସର୍ବସାଧାରଣ ସ୍ଥାନରେ ବାଣ ଫୁଟାଇବାକୁ ଅନୁମତି ଦିଆଯିବ ନାହିଁ। ନିୟମର ଖିଲାପ ହେଲେ ଓଡ଼ିଶା ଆତସବାଜି ଓ ଡାକବାଜି ଯନ୍ତ୍ର ପ୍ରାବଧାନ ଆଇନ ୧୯୫୮ ଓ ଶବ୍ଦ ପ୍ରଦୂଷଣ ନିୟମ ୨୦୦୦ ଅନୁଯାୟୀ ଦଣ୍ଡନୀୟ । କୌଣସି ବ୍ୟକ୍ତି ବାଣ ବିକ୍ରି ଓ ବାଣଫୁଟା ନିଷେଧ କଟକଣାକୁ ଅବମାନନା କଲେ ଦଣ୍ଡିତ ହେବେ । ଏଥିପାଇଁ ପ୍ରଶାସନ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।
ନିୟମ ଅନୁସାରେ ଦୀପାବଳିରେ କେବଳ ପରିବେଶ ଅନୁକୂଳ ବାଣ ବା ଗ୍ରୀନ କ୍ରାକରକୁ ଅନୁମତି ଦିଆଯାଇଛି । ବାଣ ଫୁଟାକୁ ନେଇ ଗତ ଅକ୍ଟୋବର ୩୦ରେ ସୁପ୍ରିମ କୋର୍ଟ ଓ ଆଜି ଓଡ଼ିଶା ହାଇକୋର୍ଟଙ୍କ ରାୟ ଆସିବା ପରେ ରାଜ୍ୟ ସରକାର ଏହି ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି । ଆଜି ଓଡ଼ିଶା ହାଇକୋର୍ଟ ଏକ ନିର୍ଦ୍ଦେଶ ଜାରି କରି କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି । କେବଳ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ସଂଗଠନ (ପେଲୋ) ଅନୁମତିପ୍ରାପ୍ତ ପରିବେଶ ଅନୁକୂଳ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ଦୀପାବଳି ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି । କେବଳ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ସଂଗଠନ (ପେସୋ) ଅନୁମୋଦିତ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦିଆଯାଇଛି । ଅନ୍ୟପ୍ରକାରର ବାଣର ବିକ୍ରି ଓ ଫୁଟାଇବାକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି । କେବଳ ପେସୋ ଦ୍ବାରା ପ୍ରମାଣପତ୍ର ପାଇଥିବା ଡିଲର ହିଁ ବାଣ ବିକ୍ରି କରିପାରିବେ । ଭାରତୀୟ ବିସ୍ଫୋରକ ଆଇନ ଅଧିନରେ ଉପଯୁକ୍ତ ଅଧିକାରୀଙ୍କଠାରୁ ଅନୁମତିପ୍ରାପ୍ତ ଖୁଚୁରା ବ୍ୟବସାୟୀମାନେ ହିଁ ବାଣ ଦୋକାନ ଖୋଲିପାରିବେ । ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ସ୍ଥାନରେ ହିଁ ବାଣ ଦୋକାନ ଖୋଲାଯାଇପାରିବ । ସେଠାରେ କୋଭିଡ୍ କଟକଣା ପାଳନ କରାଯିବ ।
ସୂଚନା ଯେ, ପରିବେଶ ଅନୁକୂଳ ବାଣ ବା ଗ୍ରୀନ କ୍ରାକର ଅନ୍ୟ ସାଧାରଣ ବାଣ ତୁଳନାରେ କମ ପ୍ରଦୂଷଣ କରିଥାଏ । ପ୍ରଦୂଷଣ ଓ ହାନୀକାରକ ବାଷ୍ପ ନିର୍ଗତ କରୁଥିବା ରାସାୟନିକ ସାମଗ୍ରୀ(ଯଥା ଆଲୁମିନିୟମ, ବେରିୟମ, ପଟାସିୟମ ନାଇଟ୍ରେଟ୍)କୁ ସୀମିତ ପରିମାଣରେ ବ୍ୟବହାର କରି ଗ୍ରୀନ କ୍ରାକର ପ୍ରସ୍ତୁତ କରାଯାଇଥାଏ । ଗୋଟିଏ ସାଧାରଣ ବାଣ ପ୍ରାୟ ୧୬୦ ଡେସିବେଲ ଶବ୍ଦ ଉତ୍ପନ୍ନ କରୁଥିବାବେଳେ ଗ୍ରୀନ କ୍ରାକର ୧୧୦ରୁ ୧୨୫ ଡେସିବେଲ୍ ଶବ୍ଦ ଉତ୍ପନ୍ନ କରିଥାଏ । ଗ୍ରୀନ କ୍ରାକର ଉତ୍ପାଦନ ଲାଗି ବାଣ ଉତ୍ପାଦନକାରୀଙ୍କୁ କେନ୍ଦ୍ର ସରକାରଙ୍କ କାଉନସିଲ ଅଫ ସାଇଣ୍ଟିଫିକ ଏଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚର ଅନୁମତି ଆବଶ୍ୟକ ପଡିବ ।
