ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଟିମ ଇଣ୍ଡିଆର ନେତୃତ୍ୱ ନେଇ ବଡ଼ ଚର୍ଚ୍ଚା
ନୂଆଦିଲ୍ଲୀ : ଆଇସିସି ଟି-୨୦ ବିଶ୍ୱକପ ପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି ୨୦ ସିରିଜ୍ ଖେଳାଯିବ । ବିଶ୍ୱକପ ପରେ ଅଧିନାୟକ ବିରାଟ କୋହଲି ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିସାରିଛନ୍ତି । ତେବେ ବଡ କଥା ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରେ କିଏ ସମ୍ଭାଳିବ ଭାରତୀୟ ଟିମର ଅଧିନାୟକ ଭାର । ବିଶ୍ୱକପ ପରେ କିଛି ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେବାକୁ ଯୋଜନା କରୁଛି ବିସିସିଆଇ । ଏହା ହେଲେ ଜଣେ ଯୁବ ଖେଲାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଅଧିନାୟକ ଦାୟିତ୍ୱ ମିଳିବ ।
ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା, ଜଶପ୍ରୀତ ବୁମରାହ ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ । ଏହା ହେଲେ ଲୋକେସ ରାହୁଲଙ୍କୁ ସିରିଜ୍ରେ ଅଧିନାୟକ ଦାୟିତ୍ୱ ଦିଆଯାଇପାରେ । ଋଷଭ ପନ୍ତ ମଧ୍ୟ ଏହି ଦୌଡରେ ରହିଛନ୍ତି । କେଏଲ୍ ରାହୁଲ ଆଇପିଏଲରେ ପଞ୍ଜାବ କିଙ୍ଗସ୍ ପାଇଁ ଅଧିନାୟକତ୍ୱ କରୁଥିବା ବେଳେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ଟିମର ଅଧିନାୟକ ରହିଛନ୍ତି । ଏହି ଦୁଇ ଯୁବ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଗୁରୁ ଦାୟିତ୍ୱ ମିଳିପାରେ । ଗତ କିଛି ମାସ ହେଲା ଖେଳାଳିମାନଙ୍କୁ ଆଦୌ ବିଶ୍ରାମ ମିଳିନାହିଁ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଟି ୨୦ ବିଶ୍ୱକପ ଯାଏଁ ଟିମ ଇଣ୍ଡିଆ ଲଗାତାର ଭାବେ କ୍ରିକେଟ ଖେଳିଚାଲିଛି । ତେଣୁ ଖେଳାଳିମାନଙ୍କୁ ନିହାତି ଭାବେ ବିଶ୍ରାମ ଆବଶ୍ୟକ । ଟି ୨୦ରେ ଭାରତୀୟ ଦଳର ପ୍ରମୁଖ ଖେଳାଳି ହେଉଛନ୍ତି କେଏଲ ରାହୁଲ । ତେଣୁ ତାଙ୍କୁ ଦଳର ଅଧିନାୟକ ଭାର ମିଳିବା ପ୍ରାୟ ସ୍ପଷ୍ଟ ଜଣାପଡୁଛି । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୭ ତାରିଖରୁ ୨୧ ଯାଏଁ ୩ ଟିକିଆ ଟି-୨୦ ସିରିଜ ଖେଳାଯିବ । ପ୍ରଥମ ମ୍ୟାଚ ନଭେମ୍ବର ୧୭ ତାରିଖ ଜୟପୁରରେ ଖେଳାଯିବାକୁ ଥିବା ବେଳେ, ଦ୍ୱିତୀୟ ମ୍ୟାଚ ୧୯ ତାରିଖ ରାଂଚି ଏବଂ ଶେଷ ମ୍ୟାଚ ୨୧ ତାରିଖ କୋଲକାତାରେ ଖେଳାଯିବ । ଏହା ପରେ ଉଭୟ ଦଳ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ମ୍ୟାଚ ଖେଳାଯିବ । ଉଭୟ ସିରିଜ ପାଇଁ ପ୍ରଶଂସକଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ ପାଇଁ ଅନୁମତି ମଧ୍ୟ ମିଳିପାରେ ।
