ଟି୨୦ ବିଶ୍ୱକପ୍ : ନାମିବିଆକୁ ୧୯୦ରନର ବିଜୟ ଲକ୍ଷ୍ୟ ଦେଲା ପାକିସ୍ତାନ
ଆବୁଧାବି : ଆବୁଧାବିରେ ଖେଳାଯାଉଥିବା ଟି-୨୦ ବିଶ୍ବକପ ଗ୍ରୁପ-୨ର ଏକ ମ୍ୟାଚରେ ନାମିବ୍ୟା ଆଗରେ ୧୯୦ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ପାକିସ୍ତାନ । ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ବ୍ୟାଟ୍ସମ୍ୟାନମାନେ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ ମଧ୍ୟ ପରବର୍ତ୍ତୀ କାଳରେ ରନଗତି ବଢାଇଦେଇଥିଲେ । ଅନଭିଜ୍ଞ ନାମିବ୍ୟାର ବୋଲିଂ ପାକିସ୍ତାନୀ ବ୍ୟାଟ୍ସମ୍ୟାନମାନଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନଥିଲା । ପାକିସ୍ତାନ ପକ୍ଷରୁ ବାବର ଆଜମ ୭୦ ଓ ମହମ୍ମଦ ରିଜଓ୍ବାନ ୭୯ ରନ କରିଥିଲେ । ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୧୮୯ରନ କରିଥିଲା ।
ଗ୍ରୁପ-୨ରେ ପାକିସ୍ତାନ ଏପର୍ଯ୍ୟନ୍ତ ଅପରାଜେୟ ରହି ସେମିଫାଇନାଲରେ ନିଜର ସ୍ଥାନ ଏକରକମ ନିଶ୍ଚିତ କରିନେଇଛି । ଦଳ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ୬ ପଏଣ୍ଟ ପାଇଛି । ଅନ୍ୟପକ୍ଷରେ ନାମିବ୍ୟା ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ସହ ୨ ପଏଣ୍ଟ ପାଇଛି ।
