ଦେଶରେ ଆଉ ୧୦,୪୨୩ କରୋନା ସଂକ୍ରମିତ ଚିହ୍ନଟ ଓ ୪୪୩ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି । ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଗତ କିଛି ଦିନ ହେଲାଣି ସଂକ୍ରମଣ ୧୦ରୁ ୨୦ହଜାର ଭିତରେ ରହୁଛି । ଏହା ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ସହିତ ମୃତ୍ୟୁସଂଖ୍ୟାରେ ହଠାତ ବଡଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି । ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାରରୁ ସାମାନ୍ୟ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୪୦୦ରୁ ଅଧିକ ଅଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
ସୋମବାର ଗତ ୨୪ଘଣ୍ଟାରେ ୧୦ହଜାର ୪୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୩ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୧୫ହଜାର ୦୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୪୨ଲକ୍ଷ ୯୬ହଜାର ୨୩୭କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୫୮ହଜାର ୮୮୦ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୩୬ଲକ୍ଷ ୮୩ହଜାର ୫୮୧ ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୫୩ହଜାର ୭୭୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଗତ ୨୪୮ ଦିନ ମଧ୍ୟରେ ଏହା ହେଉଛି ସର୍ବନିମ୍ନ ସକ୍ରିୟ ସଂକ୍ରମଣ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୦୬,୮୫,୭୧,୮୭୯ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।
