ଭୟଙ୍କର ହେଉଛି ଜଳବାୟୁ ପରିବର୍ତ୍ତନ : ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛି ଭାରତ
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ କାରଣରୁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟାର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେଉଛି। ଏହାର କବଳରୁ ଭାରତ ମଧ୍ୟ ବର୍ତ୍ତି ପାରିନାହିଁ। ଜଳବାୟୁ ପରିବର୍ତ୍ତନ ଫଳରେ ଦେଶ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛି। ମିଳିତ ଜାତିସଂଘ ଅଧିନସ୍ଥ ବିଶ୍ୱ ପାଣିପାଗ ସଙ୍ଗଠନ ପକ୍ଷରୁ ପ୍ରକାଶିତ ଏହାର ବାର୍ଷିକ ରିପୋର୍ଟ ଜରିଆରେ କୁହାଯାଇଛି ଦ୍ୱୀପ ରାଷ୍ଟ୍ର ମାଳଦ୍ୱୀପର ପ୍ରତ୍ୟେକ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।
ମିଳିତ ଜାତିସଂଘ ୟୁଏନଓ ଅଧିନସ୍ଥ ବିଶ୍ୱ ପାଣିପାଗ ସଙ୍ଗଠନ ଡବ୍ଲୁଏମଓ ପକ୍ଷରୁ ପକାଶିତ ଏହି ରିପୋର୍ଟରେ ଜଳବାୟୁ ପରିବର୍ତ୍ତନ କାରଣରୁ କେଉଁ ଦେଶକୁ କେତେ ପରିମାଣର କ୍ଷତିଗ୍ରସ୍ତ ହେବାକୁ ପଡି଼ଛି ତାହାର ତାଲିକା ମଧ୍ୟ ପ୍ରକାଶିତ ହୋଇଛି। ଏହି ରିପୋର୍ଟ ଅନୁଯାୟୀ ଗତ ବର୍ଷ ବାତ୍ୟା, ବନ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଭାରତକୁ ପ୍ରାୟ ୮୭ ଆରବ ଡ଼ଲାର୍ ଅର୍ଥାତ ଭାରତୀୟ ମୁଦ୍ରୀରେ ପ୍ରାୟ ୬.୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡି଼ଛି। ଚୀନ ଭଳି ଦେଶକୁ ଜଳବାୟୁ ପରିବର୍ତ୍ତନ କାରଣରୁ ହୋଇଥିବା କ୍ଷତି ସର୍ବାଧିକ ପରିମାଣରେ ସହିବାକୁ ପଡି଼ଛି। ଏହି ଦେଶକୁ ୨୩୮ ଆରବ ଡଲାର ଅର୍ଥାତ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡି଼ଛି। ଏହା ବ୍ୟତୀତ ଜାପାନ ୮୩ ଆରବ ଡ଼ଲାର ଅର୍ଥାତ ପ୍ରାୟ ୬.୨ ଲକ୍ଷ କୋଟି ଟଙ୍କା ଏବଂ ଦକ୍ଷିଣ କୋରିଆ ୨୪ ଆରବ ଡ଼ଲାର ଅର୍ଥାତ୍ ୧.୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡି଼ଛି।
ଡବ୍ଲୁଏମଓ ପ୍ରକାଶିତ ‘State of the Climate in Asia’ ନାମକ ରିପୋର୍ଟ ଜରିଆରେ କୁହାଯାଇଛି ଏସିଆ ମହାଦେଶ ପାଇଁ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା ୨୦୨୦। ୧୯୮୧-୨୦୧୦ ମଧ୍ୟରେ ଏହି ମହାଦେଶର ହାରାହାରି ତାପମାତ୍ରା ୧.୩୯ ଡିଗ୍ରୀ ସେଲସିୟସ ଅଧିକ ରହିଛି। ଳବାୟୁ ପରିବର୍ତ୍ତନ ଭଳି ଏକ ବିରାଟ ସସସ୍ୟାର ପ୍ରଭାବ ସମଗ୍ର ମହାଦେଶରେ ଅନୁଭୂତ ହୋଇଛି। ଯେଉଁ କାରଣରୁ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା ସହ ଲକ୍ଷ ଲକ୍ଷ ଲୋକଙ୍କୁ ଶରଣାର୍ଥୀ ହେବାକୁ ପଡିଛି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହି ସମୟ ମଧ୍ୟରେ ଭିତ୍ତିଭୂମି ଏବଂ ପରିବେଶକୁ ହେଉଥିବା କ୍ଷତି ଜାରି ରହିଥିଲା। ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ବିଶ୍ୱ ତାପନ ବରଂ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟ ଘଟଣା ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି। ବୈଜ୍ଞାନିକ କହିଛନ୍ତି ଜଳବାୟୁ ପରିବର୍ତ୍ତନ ହେତୁ ଉଚ୍ଚ ତୀବ୍ରତା ବାତ୍ୟା ସୃଷ୍ଟି ହୋଇଥାଏ ଯାହା ପରବର୍ତ୍ତୀ ସମୟରେ ଘନୀଭୂତ ହେବା ପରେ ଅଧିକ କ୍ଷତିକ୍ଷତି କରିଥାଏ। ଗତ ବର୍ଷ ହୋଇଥିବା ବାତ୍ୟା, ବନ୍ୟା ପାଇଁ ଏସିଆ ମହାଦେଶରେ ପ୍ରାୟ ୫ କୋଟି ଲୋକ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଅମ୍ଫାନ ଭଳି ବାତ୍ୟା କାରଣରୁ ଭାରତରେ ୨୪ ଲକ୍ଷ ଏବଂ ବାଂଲାଦେଶରେ ୨୫ ଲକ୍ଷ ଲୋକ ବିସ୍ଥାପିତ ହେବାକୁ ବାଧ୍ୟ ହୋଇଥିଲେ।
ଜାତିସଂଘ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର ମେରୁ ଅଞ୍ଚଳରେ ଥିବା ବଡ ବଡ ବରଫ ଖଣ୍ଡ ଅର୍ଥାତ ଗ୍ଲେସିଜର ବିଲୁପ୍ତ ହେବାର ପ୍ରକ୍ରିୟା ଜାରି ରହିଛି ଏବଂ ଧିରେ ଧିରେ ଦ୍ରୁତ ହେବାରେ ଲାଗିଛି। ଯଦି ଏହି ପ୍ରକ୍ରିୟା ଜାରି ରହେ ତାହେଲେ ଆସନ୍ତା ୨୦୫୦ ସୁଦ୍ଧା ପ୍ରାୟ ୨୦-୪୦ ପ୍ରତିଶତ ଗ୍ଲେସିୟର ନଷ୍ଟ ହୋଇଯିବ। ଏହା ଦ୍ୱାରା ମେରୁ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୭୫ କୋଟି ଲୋକଙ୍କ ଜୀବନ ଉପରେ ଏହାର ପ୍ରଭାବ ପଡି଼ବ। ଏହାର ସବୁଠାରୁ ବଡ ପ୍ରଭାବ ସମୁଦ୍ରରେ ଜଳ ପତ୍ତନ ବୃଦ୍ଧି, ବର୍ଷା ଋତୁର ଅବଧି, ଭୂସ୍ଖଳନ ତଥା ହିମସ୍ଖଳନ ଭଳି ଘଟଣା ଘଟିପାରେ। ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ଯେ ବର୍ତ୍ତମାନର ପିଢି ଅନୁଭବ କରିବେ ତାହା ନୁହେଁ ବରଂ ଆଗାମୀ ପିଢିଙ୍କୁ ମଧ୍ୟ ଏଭିଳି ସମସ୍ୟାର ସାମ୍ନା କରିବାକୁ ହେବ। ଏକ ଅଧ୍ୟୟନ ଅନୁଯାୟୀ ଚଳିତ ବର୍ଷ ଜନ୍ମ ହେଉଥିବା ଶିଶୁ ନିଜ ପୂର୍ବ ପୁରୁଷଙ୍କ ତୁଳନାରେ ୨-୩ ଗୁଣ ଅଧିକ ମରୁଡ଼ି, ୩ ଗୁଣା ବନ୍ୟା ଏବଂ ୭ ଗୁଣା ଅଧିକ ତାପମାତ୍ରା ଅନୁଭବ କରିବେ।
