ଟି-୨୦ ବିଶ୍ୱକପ୍ : ଶ୍ରୀଲଙ୍କାକୁ ୨୬ ରନରେ ହରାଇ ପ୍ରଥମ ଦଳ ଭାବରେ ସେମିରେ ଇଂଲଣ୍ଡ
ସାରଜା : ୟୁଏଇର ସାରଜାଠାରେ ସୋମବାର ଟି-୨୦ ବିଶ୍ୱକପ୍ ଗ୍ରୁପ-୧ର ଏକ ମ୍ୟାଚରେ ଶ୍ରୀଲଙ୍କା ଓ ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଜସ୍ ବଟଲରଙ୍କ ବିସ୍ଫୋରକ ଶତକ ବଳରେ ଇଂଲଣ୍ଡ ୨୦ ଓଭରରେ ୧୬୩ରନ କରିଥିଲା । ଜବାବରେ ୧୯ ଓଭରରେ ଶ୍ରୀଲଙ୍କା ୧୩୭ ରନରେ ସମସ୍ତ ୱିକେଟ ହରାଇବା ସହିତ ୨୬ ରନରେ ପରାଜିତ ହୋଇଥିଲା । ଏହି ବିଜୟ ସହିତ ୪ଟି ମ୍ୟାଚରୁ ୪ଟି ବିଜୟ ହାସଲ କରି ଇଂଲଣ୍ଡ ପ୍ରଥମ ଦଳ ଭାବରେ ଟି-୨୦ ବିଶ୍ୱକପ ସେମିରେ ପ୍ରବେଶ କରିଛି ।
ସୂଚନା ଯେ, ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଜୋସ ବଟଲରଙ୍କ ଶତକ ସହାୟତାରେ ୪ ୱିକେଟ ହରାଇ ୧୬୩ ରନ କରିଥିଲା । ବଟଲର ୬୭ ବଲ ଖେଳି ୧୦୧ ରନ କରିଥିଲେ । ବଟଲରଙ୍କ ଇନିଂସରେ ୬ଟି ଲେଖାଏଁ ଛକା ଓ ଚୌକା ସାମିଲ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଇଓନ ମୋର୍ଗାନ ୪୦ ରନ କରିଥିଲେ । ୱନିନ୍ଦୁ ହସରଙ୍ଗା ୨୧ ରନରେ ୩ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଶ୍ରୀଲଙ୍କା ମାତ୍ର ୧୩୭ ରନରେ ଅଲଆଉଟ ହୋଇଥିଲା । ଭାନୁକା ରାଜପକ୍ଷା ଏବଂ ଦସୁନ ଶଣକା ୨୬ ରନ ଲେଖାଏଁ ସଂଗ୍ରହ କରିଥିଲେ । ଇଂଲଣ୍ଡ ପକ୍ଷରୁ ମୋଇନ ଅଲୀ, ଆଦିଲ ରଶିଦ ଓ କ୍ରିସ ଜୋର୍ଡାନ ୨ଟି ଲେଖାଏଁ ୱିକେଟ ନେଇଥିଲେ ।
