ସରକାରୀ କଳ ଦ୍ୱାରା ନିର୍ଯାତିତ ହେଉଛନ୍ତି କନିଷ୍ଠ ଶିକ୍ଷକ, ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ
ବାଲେଶ୍ୱର : ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର ବାଲେଶ୍ୱର ସଦର ବ୍ଲକ ଶାଖା ପକ୍ଷରୁ କନିଷ୍ଠ ଶିକ୍ଷକମାନଙ୍କ ପାରିତୋଷିକ ବୃଦ୍ଧି, ୨୦୧୩ ଚୁକ୍ତିଭିତ୍ତିକ ନିୟମରେ ଅନ୍ତର୍ଭୁକ୍ତ କରିବା ଭଳି ବିଭିନ୍ନ ଦାବି ନେଇ ସୋମବାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ସରକାରୀ କଳ ଦ୍ୱାରା ନିର୍ଯାତିତ ଓ ଅବହେଳିତ ହେଉଛନ୍ତି ପ୍ରାଥମିକ ବର୍ଗର କନିଷ୍ଠ ଶିକ୍ଷକ । ସମଗ୍ର ଶିକ୍ଷା ଅଧୀନରେ ପ୍ରଥମରୁ ଯୁକ୍ତ୨ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ବର୍ଗ ସମସ୍ତ ପ୍ରକାର ସରକାରୀ ସୁବିଧା ସୂଯୋଗ ପାଉଥିବା ବେଳେ ପ୍ରାଥମିକ ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଦିଆଯାଇଛି । ମାନ୍ୟବର ଶ୍ରମ ମନ୍ତ୍ରଣାଳୟର ସୁପାରିଶ ଅନୁଯାୟୀ ଜଣେ ଅଣକୁଶଳୀ ଶ୍ରମିକଙ୍କ ଠାରୁ ମଧ୍ୟ କମ୍ ପାରିଶ୍ରମିକ ଯାହା ମାସକୁ ମାତ୍ର ୬୫୧୨ ଟଙ୍କା ପାଉଛୁ । ବଜାର ଦରଦାମ୍ ବୃଦ୍ଧି ପାଉଥିବା ବେଳେ ପ୍ରାଥମିକ ବର୍ଗର କନିଷ୍ଠ ଶିକ୍ଷକମାନେ ଦୈନିକ ୨୧୭ ଟଙ୍କା ପାରିଶ୍ରମିକରେ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇପଡ଼ିଛି । ଗତ କ୍ୟାବିନେଟ୍ ବୈଠକରେ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ଓଡ଼ିଶା ବର୍ଗ-ଗ (ଚୁକ୍ତିନାମା ନିୟମ ୨୦୧୩) ର ସଂଶୋଧନ ହୋଇ ବିଭିନ୍ନସତରରେ କର୍ମଚାରୀଙ୍କ ଦରମା ବୃଦ୍ଧି ସହ ଅନ୍ୟାନ୍ୟ ସୁବିଧା ସୂଯୋଗ ମିଳୁଥିବା ସ୍ଥଳେ କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ବୋଲି କୁହାଯାଉଥିଲେ ମଧ୍ୟ ଏସବୁଥିରୁ ବାଦ୍ ଦିଆଯାଉଛି । ଗତ ୨୦୧୬ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୫ବର୍ଷ ହେବ ପାରିଶ୍ରମିକ ବୃଦ୍ଧି ପାଇଁ ସରକାରଙ୍କୁ ନିବେଦନ ଏବଂ ବାରମବାର ଦାବି ଜଣାଇ ଆସୁଥିଲେ ମଧ୍ୟ ସରକାର ଅସମ୍ବେଦନଶୀଳତାର ପରିଚୟ ଦେଇ କନିଷ୍ଠ ଶିକ୍ଷକମାନଙ୍କର ପାରିଶ୍ରମିକ ୧ଟଙ୍କା ମଧ୍ୟ ବୃଦ୍ଧି କରିନଥିବାର ସଂଘର ସଭାପତି ସଂଗ୍ରାମ ପରିଡ଼ା ଅଭିଯୋଗ କରିଛନ୍ତି । ଓଡ଼ିଶା ବର୍ଗ-ଗ (ଚୁକ୍ତିନାମା ନିୟମ ୨୦୧୩) ଅଧୀନସ୍ଥ କର୍ମଚାରୀଙ୍କ ପାଇଁ ଗତ ୧୧ ।୧୦ ।୨୦୨୧ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ସମସ୍ତ ସୁବିଧା ସୂଯୋଗ ଓଡ଼ିଶାର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କୁ ପ୍ରଦାନ କରିବା ସହିତ ଚୁକ୍ତିନାମା ନିୟମ ୨୦୧୩ରେ ସାମିଲ୍ କରିବା ଏବଂ କନିଷ୍ଠ ଶିକ୍ଷୟିତ୍ରୀ ଓ ଶିକ୍ଷକ ଅତିକୁଶଳୀ (ତାଲିମପ୍ରାପ୍ତ) ହୋଇଥିବାରୁ ଦରମା ସର୍ବନିମ୍ନ ୧୬ହଜାର ଟଙ୍କା କରିବା ସହ ଏହାକୁ ଗତ ୨୦୧୬ରୁ ଲାଗୁ କରିବା ପାଇଁ ସଂଘର ସମ୍ପାଦକ ପ୍ରଜ୍ଞାତ ମୋହନ ସାହୁ ଦାବି ଉପସ୍ଥାପନା କରିଛନ୍ତି । କାର୍ଯ୍ୟକ୍ରମରେ ଗୌରୀଶଙ୍କର ମହାପାତ୍ର, ଚିନ୍ମୟ ଦାସ, ପ୍ରିୟବ୍ରତ ସାହୁ, ରାଜେଶ କୁମାର ଜେନା, ସ୍ୱଦେଶନା ନନ୍ଦୀ, ସ୍ମୃତି ରଞ୍ଜନ ନାୟକ, ରଶ୍ମି ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
