ଖୋଲିଲା କୁଲଡିହା ଅଭୟାରଣ୍ୟ, ପର୍ଯ୍ୟଟକମାନଙ୍କ ମଧ୍ୟରେ ଖୁସିର ଲହରୀ
ନୀଳଗିରି : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା କୁଲଡ଼ିହା ଅଭୟାରଣ୍ୟ। ସୋମବାର ସକାଳେ ଅଭୟାରଣ୍ୟକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଡିଏଫଓ ଏସିଏଫ, ରେଞ୍ଜର ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଟୁରିଷ୍ଟ ଗାଇଡ଼ ମନୋରଞ୍ଜନ ଦାସ ମଧ୍ୟ ପର୍ଯ୍ୟଟକଙ୍କୁ ନେଇ ଅଭୟାରଣ୍ୟ ବୁଲାଇ ନେବାପାଇଁ ତୟାର ହୋଇଥିବା ଦେଖାଯାଇଛି।
ବାଲେଶ୍ଵର ଜିଲା ନୀଳଗିରି ଅଞ୍ଚଳରେ ଅବସ୍ଥିତ କୁଲଡିହା ଅଭୟାରଣ୍ୟରେ ଭାରି ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟ। ୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ କୁଲଡିହା ଅଭୟାରଣ୍ୟରେ ରହିଛି ଝରଣା ସମେତ ଆହୁରି ଅନେକ ସୌନ୍ଦର୍ଯ୍ୟ ରହିଛି। ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ସମେତ ଦେଶୀ ଓ ବିଦେଶୀ ପ୍ରଜାତିର ପକ୍ଷୀ ମଧ୍ୟ ଦେଖିବାକୁ ମିଳିଥାଏ। ହାତୀ, ହରିଣ, ସମ୍ବର, ଗୟଳ, ଝିଙ୍କ, ଭାଲୁ, ବେଲୋରା ମୂଷା, ମାଙ୍କଡ଼, ଠେକୁଆ, ବାରହା ସମେତ ବହୁ ପ୍ରଜାତିର ଜୀବଜନ୍ତୁ ଦେଖିବାର ମଜା ଉଠାଇଥାନ୍ତି ପର୍ଯ୍ୟଟକ। ସେହିପରି ଗୋହିରାଭୋଳ ଠାରେ ଥିବା ନେଚର୍ସ କ୍ୟାମ୍ପରେ ଥିବା ତମ୍ବୁ ଘରେ ପର୍ଯ୍ୟଟକମାନଙ୍କ ପାଇଁ ରାତ୍ରି ରହଣୀର ବ୍ୟବସ୍ଥା କରାଯାଇଛି । ଖାଲି ସେତିକ ନୁହେଁ ପର୍ଯ୍ୟଟକ ଝରଣାକୁ ହାତୀ ପାଣି ପିଇବାକୁ ଆସିବା ଓ ଜଳ କ୍ରୀଡା କରିବାର ନିଆରା ମଜା ଉଠାଇଥାନ୍ତି। ଋଷିଆ ନିକଟ ଝରଣା ଓ ଡ୍ୟାମରେ ବୋଟିଂର ମଜା ପର୍ଯ୍ୟଟକ ନେଇଥାନ୍ତି । ସୂଚନା ଯେ, କୋଭିଡ କଟକଣା ପାଇଁ ଗତବର୍ଷ କୁଳଡିହା ଖୋଲି ପାରିନଥିବା ବେଳେ ଚଳିତ ବର୍ଷ କଟକଣା କୋହଳ ପାଇଁ ଅଭୟାରଣ୍ୟ ଖୋଲିଛି । ଯଦ୍ୱାରା ପର୍ଯ୍ୟଟକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।
