ଟି-୨୦ ବିଶ୍ୱକପ୍ : ବାଂଲାଦେଶକୁ ଝଟକା, ଶାକିବ ଅଲ ହସନ ଆଉଟ
ଦୁବାଇ : ଆଇସିସି ଟି-୨୦ ବିଶ୍ଵ କପ୍ କ୍ରିକେଟ୍ରେ ବାଂଲାଦେଶକୁ ଲାଗିଲା ଜୋରଦାର ଝଟକା। ଦଳର ତାରକା ଅଲରାଉଣ୍ଡର ଶାକିବ ଅଲ ହସନ ଜଂଘ ମାଂସପେଶୀରେ ଯନ୍ତ୍ରଣା କାରଣରୁ ବିଶ୍ଵ କପ୍ରୁ ବାହାରି ଯାଇଛନ୍ତି। ଶାକିବ ଟି-୨୦ ବିଶ୍ଵ କପ୍ ଇତିହାସରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର। ଏପରିକି ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ତାଲିକାରେ ସେ ଶୀର୍ଷରେ ଅଛନ୍ତି।
ବାଂଲାଦେଶ ଏ ପର୍ଯ୍ୟନ୍ତ ବିଶ୍ଵ କପ୍ର ସୁପର-୧୨ ରାଉଣ୍ଡରେ ତିନୋଟି ମ୍ୟାଚ୍ ହାରି ସାରିଛି ଏବଂ ପ୍ରାୟତଃ ସେମି ଫାଇନାଲ ଦୌଡରୁ ବାଦ୍ ପଡି ସାରିଛି। ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ଗୁରୁବାର ଦୁବାଇରେ ଖେଳାଯିବ। ହେଲେ ଏହା ପୂର୍ବରୁ ଜଂଘ ମାଂସପେଶୀ ଟାଣି ଧରିବାରୁ ଶାକିବ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି। ଏବେ ତାଙ୍କର ସ୍କାନ କରାଯିବ। ଏହା ପରେ ତାଙ୍କ ଆଘାତ କେତେ ଗୁରୁତର ତାହା ଜଣା ପଡିବ।
