ବାଲେଶ୍ୱର : ଯୁବକଙ୍କୁ ନୃଶଂସ ଭାବେ ହାଣିବା ସହ ଗୁଳି କରି ହତ୍ୟା
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଦିନକୁ ଦିନ ଅପରାଧ ବଢିଚାଲିଛି। ଚୋରି, ଛିନ୍ତାଇ, ଲୁଟ ଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ଘଟଣା ଦେଖିବାକୁ ମିଳୁଛି। ବିଶେଷ କରି ବାଲେଶ୍ୱର ଜିଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବାର ନଜର ରହିଛି । ଏହି ପରିପ୍ରେକ୍ଷୀରେ ରବିବାର ବାଲେଶ୍ୱର ସଦର ଥାନା ଅନ୍ତର୍ଗତ କୁରୁଡ଼ା ଛକରେ ଫୁଟିଛି ଗୁଳି । ୨ ଜଣ ଦୁର୍ବୃତ୍ତ ଯୁବକଙ୍କୁ ନୃଶଂସ ଭାବେ ହାଣିବା ସହ ଗୁଳି କରି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ସଦର ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣାର ବିନୋଦ ବିହାରୀ ଦାସ (୩୪) । ଏଭଳି ଦିବାଲୋକରେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ଅଶାନ୍ତ ହୋଇଛି।
ବିନୋଦ ରବିବାର ପୂର୍ବାହ୍ନ ୯ ଟା ସମୟରେ ଉକ୍ତ ଗ୍ରାମର ହାପି ନାମକ ସାଙ୍ଗ ସହ ଓ ଡି-୦ ୧ଏଜି-୬୧୮୬ ନମ୍ବର ଏକ ବାଇକ ରେ ନିକଟସ୍ଥ କୁରୁଡ଼ା ବଜାରକୁ ଔଷଧ ନେବା ପାଇଁ ଆସିଥିଲେ। କୁରୁଡ଼ା ବଜାରରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଥିବା ବିନୋଦଙ୍କୁ ଅଟକାଇ ପ୍ରଥମେ ତାଙ୍କ ଉପରକୁ ଗୁଳି କରିଥିଲେ ଓ ପରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରି ନୃଶଂସ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ। ଘଟଣା ସ୍ଥଳରୁ ହାପିର କୌଣସି ପତ୍ତା ମିଳିନଥିବା ବେଳେ ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ ହତ୍ୟାର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିନୋଦକୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଇଛି । ଏ ନେଇ ସଦର ଥାନାରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରଖିଛି ପୋଲିସ ।
