ଧର୍ମ ଆଧାରରେ କାହାକୁ ଟାର୍ଗେଟ୍ କରାଯିବା ସବୁଠୁ ବଡ ଖରାପ କଥା : କୋହଲି
ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ବଡ଼ ବୟାନ ରଖିଛନ୍ତି କ୍ୟାପଟେନ କୋହଲି । ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ସାମିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ଓ ଟାର୍ଗେଟ କରାଯାଇଥିବା ବେଳେ ଏବେ ଏହି ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ବିରାଟ । ସାମିଙ୍କୁ ଟ୍ରୋଲ କରାଯିବାକୁ ନେଇ ବିରାଟ ଖପ୍ପା ହେବା ସହ କହିଛନ୍ତି ବାହାରେ ହେଉଥିବା ଡ୍ରାମା ଉପରେ ଆମେ ଏତେଟା ଧ୍ୟାନ ଦେଉନାହୁଁ । ଏବେ ଆମେ ପୂରା ମ୍ୟାଚ୍ ଉପରେ ଧ୍ୟାନ ଦେଉଛୁ । କିନ୍ତୁ କୌଣସି ବ୍ୟକ୍ତିକୁ ଧର୍ମ ଆଧାରରେ ଟାର୍ଗେଟ କରିବା ସମ୍ପୂର୍ଣ୍ଣ ରୂପେ ଭୁଲ ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଶନିବାର ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଆସନ୍ତାକାଲିର ମ୍ୟାଚ୍ ପାଇଁ ଭାରତୀୟ ଦଳ ପ୍ରସ୍ତୁତ ଥିବା ସେ କହିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ କେଉଁଠି ଭୁଲ୍ ରହିଛି ଏହା ଆମକୁ ଜଣା। ଆମେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଏହା ସୁଧାରିବାକୁ ଚେଷ୍ଟା କରିବୁ। ପାକିସ୍ତାନଠୁ ହାରିବା ପରେ ଶାମିଙ୍କୁ ଟ୍ରୋଲ କରାଯିବା ଉପରେ କୋହଲି କହିଛନ୍ତି ଯେ, ଧର୍ମ ଆଧାରରେ କାହାକୁ ଟାର୍ଗେଟ୍ କରାଯିବା ବହୁତ ଖରାପ କଥା। କୋହଲି କହିଛନ୍ତି, ଯେଉଁ ସ୍ତରରେ ଏହି ପ୍ରତିଯୋଗିତା ହେଉଛି, ତାହା ସଂପୂର୍ଣ୍ଣ ଅଲଗା ଅଟେ। ଆଗକୁ ଏହା ଅତି ଗୁରୁତ୍ଵପୂର୍ଣ୍ଣ ଯେ, ମାନସିକ ଭାବେ ଆମେ ପଡିଆକୁ କିପରି ଓହ୍ଲାଇବା। ଗତ ମ୍ୟାଚ୍ରେ ଶାହିନ ଆମ ବିରୋଧରେ ଆକ୍ରମକ ରହିଥିଲେ। ଆମକୁ ମଧ୍ୟ ବ୍ୟାଟିଂ ଜରିଆରେ ତାଙ୍କୁ ରୋକିବାକୁ ପଡିବ ବୋଲି କୋହଲି କହିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍ ହାରିବା ପରେ ବିରାଟ କହିଛନ୍ତି ଯେ, ଗୋଟିଏ ମ୍ୟାଚ୍ରେ ସବୁ କିଛି ବିଗିଡି ଯାଏନି। କେବଳ ଗୋଟିଏ ମ୍ୟାଚ୍ ଗୁରୁତ୍ଵପୂର୍ଣ୍ଣ ହୁଏ ନାହିଁ ଟୁର୍ଣ୍ଣାମେଣ୍ଟରେ ପ୍ରତିଟି ମୁକାବିଲା ଗୁରୁତ୍ଵପୂର୍ଣ୍ଣ ହୋଇଥାଏ। ଶାର୍ଦ୍ଦୁଲ ଠାକୁର ସମ୍ବନ୍ଧିତ ପ୍ରଶ୍ନ ଉପରେ କୋହଲି କହିଛନ୍ତି, ଶାର୍ଦ୍ଦୁଲ ଲଗାତାର ଆମ ଯୋଜନାର ଅଂଶ। ସେ ଦଳରେ କେଉଁ ସ୍ଥାନରେ ଫିଟ୍ ହେବେ ଏହା ଆମକୁ ଦେଖିବାକୁ ପଡିବ। ଆମକୁ ଏହା ସ୍ଵୀକାର କରିବାକୁ ପଡିବ ଯେ, ଗତ ମ୍ୟାଚ୍ରେ ଆମରି ବିରୋଧୀ ଦଳ ଆମଠୁ ଉନ୍ନତ କ୍ରିକେଟ୍ ଖେଳିଛି। ଏହା କେବଳ କୌଣସି ଜଣେ ଖେଳାଳିଙ୍କ ପରାଜୟ ନଥିଲା। ଏହା ଦଳଗତ ପରାଜୟ।
