ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନକୁ ନେଇ ଆସିଲା ବଡ଼ ଖବର : ବଦଳିବେ ଏହି ଖେଳାଳି!
ଦୁବାଇ : ଆଜି ଟି-୨୦ ବିଶ୍ୱକପର କର ବା ମର ମ୍ୟାଚ୍ରେ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଭାରତୀୟ କ୍ରିକେଟ୍ ଦଳ। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଠାରୁ ପ୍ରଥମ ମ୍ୟାଚ୍ ହାରି ବ୍ୟାକଫୁଟରେ ଥିବା ଭାରତକୁ ବିଜୟ ଜରୁରୀ। ନ୍ୟୁଜିଲ୍ୟାଣ୍ଡ ମଧ୍ୟ ପାକିସ୍ତାନ ଠାରୁ ପ୍ରଥମ ମ୍ୟାଚ୍ରେ ହାରିଥିଲା। ତେଣୁ ଉଭୟ ଟିମ୍ ପାଇଁ ଆଜିର ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ। ସାଧାରଣତଃ ଚର୍ଚ୍ଚାରୁ ଦୂରେଇ ରହୁଥିବା ନ୍ୟୁଜିଲାଣ୍ଡ ଆଇସିସି ଇଭେଣ୍ଟ ଗୁଡ଼ିକରେ ଭାରତ ପାଇଁ ସବୁବେଳେ ବଡ଼ ବିପଦ ଭାବେ ଉଭା ହୋଇଛି। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ହେଉକି ୨୦୧୯ ବିଶ୍ବକପ୍ ସେମିଫାଇନାଲ୍, ନ୍ୟୁଜିଲାଣ୍ଡ ବଡ଼ ମ୍ୟାଚ୍ରେ ଭାରତକୁ ହରାଇବାର ଅନେକ ଉଦାହରଣ ରହିଛି। ଏଣୁ ନିଜ ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭିଯାନର ପ୍ରଥମ ମୁକାବିଲାରେ ପାକିସ୍ତାନଠାରୁ ୧୦ ୱିକେଟ୍ରେ ହାରିଥିବା ଭାରତୀୟ ଦଳକୁ ବିଜୟ ଖାତା ଖୋଲିବାକୁ ହେଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ।
ଗତ ରବିବାର ପାକିସ୍ତାନ ବିପକ୍ଷରେ ଦଳ ହାରିବା ପରେ ଏ ରବିବାର କେମିତି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମୁକାବିଲାର ସାମ୍ନା କରିବ ତା’କୁ ନେଇ ମାନସମନ୍ଥନ ଚାଲିଛି। ଅନେକ କ୍ରିକେଟ ପଣ୍ଡିତ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରାଯିବା ସପକ୍ଷରେ ମତ ଦେଇଛନ୍ତି। ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାରଙ୍କ ବଦଳରେ ଇଶାନ କିଶନ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ଅନେକ ମତ ଦେଇଛନ୍ତି। ତେବେ ଏସବୁ ଭିତରେ ଟିମ୍ ଇଣ୍ଡିଆର ପ୍ଲେଇଂ ଲଲେଭେନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ଭାରତ ପାଇଁ ଏକ ପ୍ରକାରର କର ବା ମର ପରିସ୍ଥିତି ସୃଷ୍ଟି କରିଛି। କାରଣ ଏହି ମ୍ୟାଚ୍ ହାରିଲେ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ ଭାଙ୍ଗି ଯିବ। ତେଣୁ ଏହି ମ୍ୟାଚ୍କୁ ଯେମିତି ହେଲେ ବି ଭାରତକୁ ଜିତିବାକୁ ପଡ଼ିବ। ମିଳିଥିବା ରିପୋର୍ଟ ଅନୁସାରେ, ଟିମ୍ ମ୍ୟାନେଜମେଣ୍ଟ ଗୋଟିଏ ମ୍ୟାଚ୍ର ପ୍ରଦର୍ଶନ ଆଧାରରେ ଚୂଡ଼ାନ୍ତ ଏକାଦଶରେ ଥିବା ଖେଳାଳିଙ୍କୁ ବଦଳାଇବା ମୁଡରେ ନାହିଁ। ପାକିସ୍ତାନ ବିପକ୍ଷରେ ଯେଉଁମାନେ ଖେଳୁଥିଲେ ସେହି ଖେଳାଳିଙ୍କୁ ନେଇ ଭାରତ ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ରେ ମୈଦାନକୁ ଓହ୍ଲାଇବ। କିନ୍ତୁ ଯଦି କେହି ଆହତ ହୋଇଛନ୍ତି, ତା’ହେଲେ ଟିମ ମ୍ୟାନେଜମେଣ୍ଟ ଚୂଡ଼ାନ୍ତ ଏକାଦଶରେ ବାଧ୍ୟ ହୋଇ ପରିବର୍ତ୍ତନ କରିବ। ଏହାବାଦ କୌଣସି ପରିବର୍ତ୍ତନ ହେବନାହିଁ ବୋଲି କୁହାଯାଉଛି। ପାକିସ୍ତାନ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। କିନ୍ତୁ ଦୁଇ ଦିନ ହେଲା ସେ ନେଟ୍ସରେ ଅଭ୍ୟାସ କରୁଛନ୍ତି। ଏପରି କି ସେ ବୋଲିଂ ମଧ୍ୟ କରୁଥିବା ଦେଖିବାକୁ ମିଳିଛି। ତେଣୁ ତାଙ୍କ ବଦଳ ଖେଳାଳି ଭାବେ ଶାର୍ଦ୍ଦୁଲ ଠାକୁରଙ୍କ ନାଁକୁ ଟିମ୍ ମ୍ୟାନେଜମେଣ୍ଟ ବିଚାରକୁ ନେଇନାହିଁ। ଏବେ ବି ପାଣ୍ଡ୍ୟାଙ୍କ ଉପରେ ଅଧିନାୟକ ବିରାଟ କୋହଲି ଭରସା ରଖିଛନ୍ତି। ପାକିସ୍ତାନ ବିପକ୍ଷରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ପ୍ରଭାବହୀନ ବୋଲିଂ କରିଥିଲେ। ତାଙ୍କ ବଦଳରେ ଅଭିଜ୍ଞ ଅଶ୍ୱିନଙ୍କୁ ସ୍ଥାନ ଦେବାକୁ ଅନେକ ମତ ଦେଇଥିଲେ। ହେଲେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଉ ଗୋଟିଏ ସୁଯୋଗ ଦେବାକୁ ଦଳ ଲକ୍ଷ୍ୟ ରଖିଛି। ଭୁବନେଶ୍ୱର କୁମାରଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା। ହେଲେ ବଡ଼ ମ୍ୟାଚ୍ ଖେଳିବାର ଅଭିଜ୍ଞତା ତାଙ୍କର ରହିଛି। ତେଣୁ ତାଙ୍କୁ ନ୍ୟୁଜିଲ୍ୟାଣ୍ତ ବିପକ୍ଷ ମ୍ୟାଚରେ ପୁଣି ସୁଯୋଗ ମିଳିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।
ଟିମ ଇଣ୍ଡିଆରେ ସବୁଠାରୁ ବଡ ପ୍ରଶ୍ନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଉଠୁଛି । ପାଣ୍ଡ୍ୟା ଜଣେ ଭେଟେରାନ୍ ଅଲରାଉଣ୍ଡର କିନ୍ତୁ ସେ ଲମ୍ବା ସମୟ ଧରି ବୋଲିଂ କରିପାରୁ ନାହାନ୍ତି । ପାକିସ୍ତାନ ଠାରୁ ପରାଜିତ ହେବା ପରେ ନେଟସ୍ରେ ପାଣ୍ଡ୍ୟା କିଛି ସମୟ ବୋଲିଂ କରିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ବେଶ ଗରୁତ୍ବ ବହନ କରୁଥିବାରୁ ପାଣ୍ଡ୍ୟା ଖେଳିବେ କି ନାହିଁ ସେ ନେଇ ସସ୍ପେନ୍ସ ଲାଗି ରହିଛି । ଯଦିବି ସେ ଖେଳନ୍ତି ତେବେ ବୋଲିଂ କରିପାରିବେ କି ନାହିଁ ତାହା ମଧ୍ୟ ବଡ ପ୍ରଶ୍ନ । ଟିମ ମ୍ୟାନେଜମେଣ୍ଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖେଳାଇବା ମୁଡ୍ରେ ଅଛି । କାରଣ ଜଣେ ବେଷ୍ଟ ଫିନିସର ଭାବେ ସେ ପୂର୍ବରୁ ପ୍ରମାଣିତ କରିସାରିଛନ୍ତି । ଶୁଣିବାକୁ ମିଳୁଛି ଯେ, ମେଣ୍ଟର ମହେନ୍ଦ୍ର ସିଂହ ଧୋନୀ ପାଣ୍ଡ୍ୟାଙ୍କୁ ଦଳରେ ରଖିବାକୁ ଚାହୁଁଛନ୍ତି । ତେବେ ଯଦି ପାଣ୍ଡ୍ୟାଙ୍କୁ ଦଳରୁ ବାଦ ଦିଆଯାଏ ତେବେ ତାଙ୍କ ସ୍ଥାନରେ କିଏ ଖେଳିବେ ? ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଯଦି ଦଳରେ ସାମିଲ କରାନଯାଏ ତେବେ ତାଙ୍କ ସ୍ଥାନରେ ସବୁଠାରୁ ଆଗରେ ନାଁ ରହିଛି ଶାର୍ଦ୍ଦୁଲ ଠାକୁରଙ୍କର । ପେସ୍ ବୋଲିଂ କରିବା ସହିତ ବିସ୍ଫୋରକ ବ୍ୟାଟିଂ କରିବାରେ ବି ସେ ସକ୍ଷମ । ଯାହାକି ପୂର୍ବରୁ ପ୍ରମାଣିତ ହୋଇସାରିଛି । ଏଣୁ ଯଦି ଶର୍ଦ୍ଦୁଲ ଠାକୁରଙ୍କୁ ପ୍ଲେଇଂ ଇଲେଭେନ୍ରେ ସାମିଲ କରାଯାଏ ତେବେ ପାଣ୍ଡ୍ୟାଙ୍କୁ ଦଳରୁ ବାଦ ଦିଆଯାଇପାରେ । ଏହା ବାଦ ଯଦି ପାଣ୍ଡ୍ୟାଙ୍କ ସ୍ଥାନରେ ଇଶାନ କିଶନଙ୍କୁ ଦଳରେ ସାମିଲ କରାଯାଏ ତେବେ ସେ କେବଳ ବ୍ୟାଟିଂ ହିଁ କରିପାରିବେ । ତେଣୁ ତାଙ୍କୁ ଦଳରେ ସାମିଲ କରାଯିବା ସମ୍ଭାବନା ଖୁବ କମ । କାରଣ କେବଳ ବ୍ୟାଟ୍ସମ୍ୟାନ ଭାବେ ପାଣ୍ଡ୍ୟା ଦଳରେ ଅଛନ୍ତି ।
