ବିଜେଡିରେ ମିଶିଲେ ବିଶିଷ୍ଟ ଶ୍ରମିକନେତା ନବକିଶୋର ମହାନ୍ତି
ଭୁବନେଶ୍ୱର : ଭୁବନେଶ୍ୱରର ୪୨ଟି ସ୍ଥାନୀୟ ଓ ରାଜ୍ୟ ସ୍ତରୀୟ ଟ୍ରେଡ୍ ୟୁନିୟନର ପ୍ରାୟ ଏକ ହଜାର ଶ୍ରମିକ ଓ କର୍ମଚାରୀ ବିଶିଷ୍ଟ ଶ୍ରମିକ ନେତା ନବ କିଶୋର ମହାନ୍ତିଙ୍କ ନେତୃତ୍ୱରେ ବିଜେଡିରେ ଯୋଗ ଦେଇଛନ୍ତି । ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ୪୨ ଟି ରେଜିଷ୍ଟ୍ରିଭୁକ୍ତ ଶ୍ରମିକ ସଂଗଠନ ଅଧିନରେ କାର୍ଯ୍ୟକରିଥିବା ଶତାଧିକ ସଂଗଠନ ଓ ଏଥିରେ ସଂପୃକ୍ତ ଶ୍ରମିକ କର୍ମଚାରୀ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ବିଜୁ ଶ୍ରମିକ ସାମୁଖ୍ୟକୁ ଶକ୍ତିଶାଳି କରିବା ପାଇଁ କାର୍ଯ୍ୟକରିବେ ବୋଲି ଏହି ସଂଗଠନର କର୍ମକର୍ତାମାନେ ଘୋଷଣା କରିଥିଲେ ।
ଏହି ଶ୍ରମିକ କର୍ମଚାରୀ ମାନେ ଦିର୍ଘଦିନଧରି ସିପିଏମ୍ ଓ ବାମପନ୍ଥୀ ସଂଗଠନ ସହିତ ସାମିଲହୋଇ କାର୍ଯ୍ୟକରି ଆସୁଥିଲେ । ଏହି ସଂଗଠନ ମାନଙ୍କ ମଧ୍ୟରେ ବିଡିଏ ୱାର୍କର୍ସ ୟୁନିୟନ୍, ଘରୋଇ ମେଡିକାଲ୍ ରେ କାର୍ଯ୍ୟରତ କର୍ମଚାରୀ ସଂଘ, ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ୱାର୍କର୍ସ ୟୁନିୟନ୍, ଉତ୍କଳ ୟୁନିଭରସିଟି ୱାର୍କର୍ସ ୟୁନିୟନ, ରାଜଧାନୀ ଆମ୍ବୁଲାନ୍ସ ଡ୍ରାଇଭର୍ସ ଆସୋସିଏସନ୍, ରାଜଧାନୀ ଟାକ୍ସି ଓ ଅଟୋଚାଳକ ମହାସଂଘ, ରାଜଧାନୀ ହୋଟେଲ୍ କର୍ମଚାରୀ ସଂଘ, ସିଫା ଶ୍ରମିକ ସଂଘ, ରାଜଧାନୀ ପରିବହନ କର୍ମଚାରୀ ସଂଘ, କଳିଙ୍ଗ ଷ୍ଟୁଡିଓ କର୍ମଚାରୀ ସଂଘ, ଓଡିଶା ରାଜ୍ୟ କାଜୁ ଉନ୍ନୟନ ୱାର୍କର୍ସ ୟୁନିୟନ୍, ସିକ୍ୟୁରିଟି ସର୍ଭିସ ଏମ୍ଲୋଇଜ୍ ୟୁନିୟନ୍, ଓଡିଶା ସେତୁ ନିଗମ କର୍ମଚାରୀ ସଂଘ, ରାଜଧାନୀ ହୋଟେଲ୍ କର୍ମଚାରୀ ସଂଘ, ଷ୍ଟଟ୍ କୋପରେଟିଭ୍ ବ୍ୟାଙ୍କ ୱାର୍କର୍ସ ୟୁନିୟନ୍ ପ୍ରଭୁତି ୪୨ ପ୍ରମୁଖ କେନ୍ଦ୍ର ଓ ରାଜ୍ୟସରକାର କର୍ମଚାରୀ ଙ୍କ ସମେତ ବହୁ ଘରୋଇ କର୍ମଚାରୀ ଓ ଶ୍ରମିକ ସଂଗଠନ ଗୁଡିକ ଏଥିରେ ସଂପୃକ୍ତ ଅଛନ୍ତି । ଏହି ମିଶ୍ରଣ ପର୍ବରେ ସାଂସଦ ସୁବାସ ସିଂହଙ୍କ ସମେତ ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, କେନ୍ଦ୍ରୀୟ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୁର ସଭାର ସର୍ବ ଭାରତୀୟ ଉପସଭାପତି ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ, ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
