ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର : ଘୁଞ୍ଚିଲା ସୈନିକ ସ୍କୁଲ୍ ପ୍ରବେଶିକା ପରୀକ୍ଷା ଆବେଦନ ତାରିଖ
ଭୁବନେଶ୍ୱର : ଅଲ୍ ଇଣ୍ଡିଆ ସୈନିକ ସ୍କୁଲ୍ ପ୍ରବେଶିକା ପରୀକ୍ଷା (ଏଆଇଏସଏସଇଇ) ୨୦୨୨ ପାଇଁ ଅନଲାଇନ୍ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ୦୫ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଦାଖଲ ହୋଇଥିବା ଆବେଦନ ଫର୍ମ ସଂଶୋଧନ ପାଇଁ ସଂଶୋଧନ ୱିଣ୍ଡୋ ୦୭ ନଭେମ୍ବର ୨୦୨୧ ରୁ ୧୦ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଏନଟିଏ ୱେବସାଇଟରେ ଉପଲବ୍ଧ ହେବ । ସୈନିକ ସ୍କୁଲ୍ ଭୁବନେଶ୍ୱରର ପ୍ରିନ୍ସପାଲ ଗ୍ରୁପ୍ କ୍ୟାପଟେନ୍ ଏସ୍ ଡୋମିନିକ୍ ରୟାନ୍ ଏହି ସୂଚନା ଦେଇଛନ୍ତି ।
୨୬ ଅକ୍ଟୋବର ୨୦୨୧ ସୁଦ୍ଧା ସୈନିକ ସ୍କୁଲ ଭୁବନେଶ୍ୱରରେ ଆଡମିଶନ ପାଇଁ ପ୍ରାୟ ୧୬୦୦ ପ୍ରାର୍ଥୀ ଏଆଇଏସଏସଇଇ-୨୦୨୨ ପାଇଁ ପଞ୍ଜୀକୃତ ହୋଇସାରିଛନ୍ତି । ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଷଷ୍ଠ ଶ୍ରେଣୀରେ ଛାତ୍ରମାନଙ୍କ ପାଇଁ ୮୦ ଟି ସ୍ଥାନ ଏବଂ ଛାତ୍ରୀମାନଙ୍କ ପାଇଁ ୧୦ ଟି ସ୍ଥାନ ଖାଲି ଅଛି । ୦୧ ଏପ୍ରିଲ ୨୦୧୦ ରୁ ୩୧ ମାର୍ଚ୍ଚ ୨୦୧୨ (ଉଭୟ ଦିନ ଅନ୍ତର୍ଭୂକ୍ତ) ମଧ୍ୟରେ ଜନ୍ମ ହୋଇଥିବା ଛାତ୍ର-ଛାତ୍ରୀମାନେ ପରୀକ୍ଷା ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି । ଏନଟିଏ ଦ୍ୱାରା ଜାରି କରାଯାଇଥିବା ସର୍ବସାଧାରଣ ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ତାରିଖରେ କୌଣସି ପରିବର୍ତନ କରାଯାଇ ନାହିଁ । କାର୍ଯ୍ୟସୂଚୀ ଅନୁଯାୟୀ ଏହା ୦୯ ଜାନୁଆରୀ ୨୦୨୨ ରେ ଅନୁଷ୍ଠିତ ହେବ ।
