କଟକଣା କୋହଳ କଲା ବିଏମସି : ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ଯୋଗ ଦେଇପାରିବେ ୨୫୦ ଜଣ
ଭୁବନେଶ୍ୱର : ଏଣିକି ଭୁବନେଶ୍ୱରରେ ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ୨୫୦ ଲୋକ ଯୋଗ ଦେଇପାରିବେ । ନଭେମ୍ବର ୧ ତାରିଖ ଠାରୁ ନୂଆ ଗାଇଡଲାଇନ ଲାଗୁ ହେବ । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୋଭିଡ କଟକଣାରେ କୋହଳ କରାଯାଇଛି ।
ବିଏମସିର ବିଜ୍ଞପ୍ତି ଅନୁଯାୟୀ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ସାମାଜିକ ଦୂରତା, ମାସ୍କ ଓ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି । ଏହାସହିତ ଛୋଟ ପିଲା, ଗର୍ଭବତୀ ମହିଳା ଓ ବୟସ୍କ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାରଣ କରିଛି ବିଏମସି । ଆଗକୁ ପାର୍ବଣ ଋତୁ ଆସୁଛି । ସୂଚନାଯୋଗ୍ୟଯେ ଚଳିତ ମାସ ପ୍ରଥମ ସପ୍ତାହରେ କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ବିଏମସି ତରଫରୁ ଗାଇଡଲାଇନ୍ ଧାର୍ଯ୍ୟ କରାଯାଇଥିଲା । ଯେଉଁଥିରେ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ କେବଳ ୫୦ ଜଣ ଲୋକଙ୍କୁ ଯୋଗ ଦେବାକୁ ଅନୁମତି ଦିଆଯାଇଥିଲା ।
