ଦୁଇ ନକଲି ଆଇଏଏସ୍ ଅଫିସର ଗିରଫ
ଭୁବନେଶ୍ୱର : କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଅଭିଯୋଗରେ କ୍ରାଇମବ୍ରାଂଚର ଇଓଡବ୍ଲୁ ଶୁକ୍ରବାର ୨ ନକଲି ଆଇଏଏସ୍ଙ୍କୁ କଟକ ଓ ଭୁବନେଶ୍ୱରରୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ । ଜଣେ ନିଜକୁ ଆଡିସନାଲ ସେକ୍ରେଟେରୀ କହି ଠକୁଥିବା ବେଳେ ଅନ୍ୟ ଜଣେ ନିଜକୁ ପିଡବ୍ଲ୍ୟୁଡି ଅଫିସର ପରିଚୟ ଦେଇ ଠକୁଥିଲା । ଏମାନଙ୍କ ବିରୋଧରେ ଠିକାଦାରୀ ଦେବା ନାଁରେ ୧ କୋଟି ୧୭ ଲକ୍ଷ ଠକିଥିବା ଅଭିଯୋଗ ଆସିଥିଲା । ଏମାନେ ମିଛ ୱାର୍କ ଅର୍ଡର ଦେଇ ଠିକାଦାରଙ୍କୁ ଠକେଇ କରିବା ସହ ଟଙ୍କା ହଡ଼ପ୍ କରୁଥିଲେ ।
ଦିଲ୍ଲୀର ରିକବ ଚାନ୍ଦଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଏହି ଦୁଇଜଣଙ୍କୁ ଗିରଫ କରିଛି । ଦିଲ୍ଲୀର ନେସନାଲ୍ ଷ୍ଟିଲର ମାଲିକ ରିକବ ତାଙ୍କୁ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ଓ ଦିଲ୍ଲୀର ରାଜେଶ ଗେହେଲଟ ନିଜକୁ ଅଫିସରର ପରିଚୟ ଦେଇ ଅପରାଧିକ ଷଡଯନ୍ତ୍ର କରି ୧ କୋଟି ୧୭ ଲକ୍ଷ ଟଙ୍କା ଠକେଇ କରିଥିଲେ । ଏଥିରେ ଜଣେ ମହିଳାଙ୍କର ବି ସମ୍ପୃକ୍ତି ରହିଛି । ସେ ମହିଳା ନିଜକୁ ଟ୍ରଜେରୀ ଅଫିସରର ପରିଚୟ ଦେଇଥିଲେ । ରିକବଙ୍କର ଭୁବନେଶ୍ୱର କାଳୀନଗର ନିକଟରେ ଏକ ବ୍ରାଂଚ ଅଫିସ ରହିଛି, ଯାହାକୁ ତାଙ୍କ ପୁଅ ଅକ୍ଷୟ ବୁଝୁଥିଲେ ।
