ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ବୈଠକ
ବାଲେଶ୍ୱର : ବାଲେଶ୍ୱର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାଲେଶ୍ୱର ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲ, ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନାଙ୍କ ସମତେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ବିଭିନ୍ନ ସୂଚନା ଦେବା ସହିତ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ୧-୧-୨୦୨୨ତାରିଖକୁ ଯୋଗ୍ୟତା ସୂଚକ ତାରିଖ ଭାବେ ଭିତ୍ତି କରି ଯେଉଁ ସ୍ୱତନ୍ତ୍ର ସଂକ୍ଷିପ୍ତ ଫଟୋ ଭୋଟର ତାଲିକା-୨୦୨୨ ଆରମ୍ଭ ହୋଇଛି ତାହାକୁ ସଫଳ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା ।୧.୧୧.୨୦୨୧ରିଖ ଦିନ ବୁଥ ସ୍ତରରେ ଭୋଟର ତାଲିକାର ଡ୍ରାଫ୍ଟ ପ୍ରକାଶ ପାଇବାକୁ ଥିବା ବେଳେ ୧-୧୧-୨୦୨୧ରିଖରୁ ୩୦-୧୧-୨୦୨୧ରିଖ ପର୍ଯ୍ୟନ୍ତ ଭୋଟରଙ୍କ ଠାରୁ ବିଭିନ୍ନ ଦାବି ଏବଂ ଆପତି ସଂକ୍ରାନ୍ତୀୟ ଆବେଦନ ଗ୍ରହଣ କରାଯିବ । ଆସନ୍ତା ନଭେମ୍ବର ୭ ଏବଂ ୨୧ତାରିଖକୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ଗ୍ରହଣ କରାଯାଇଥିବା ବେଳେ ବିଭିନ୍ନ ବୁଥରେ ରାଜନୈତିକ ଦଳର ଏଜେଂଟମାନେ ରହି ବୁଥସ୍ତରୀୟ ଅଧିକାରୀମାନଙ୍କ ଜରିଆରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଜିଲାପାଳ ଶ୍ରୀ ଚକ୍ରବର୍ତୀ ପରାମର୍ଶ ଦେଇଥିଲେ । ୨୦.୧୨.୨୦୨୧ରିଖ ସୁଦ୍ଧା ସମସ୍ତ ଦାବି ଏବଂ ଅଭିଯୋଗର ଫଇସଲା କରାଯିବା ସହିତ ୫.୧.୨୦୨୨ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ସମସ୍ତ ରାଜନୈତିକ ଦଳକୁ ବୁଥ ସ୍ତରରେ ଏଜେଂଟ ନିଯୁକ୍ତ କରିବା ପାଇଁ ବୈଠକରେ ନିବେଦନ କରାଯାଇଥିଲା । ବୁଥସ୍ତରୀୟ ଅଧିକାରୀମାନଙ୍କର ବୈଠକ ଡାକି ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିବା, ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ପ୍ରଚାର ଓ ପ୍ରସାର କରିବା, ସମସ୍ତ ବୁଥ୍ସ୍ତରୀୟ ଏଜେଣ୍ଟଙ୍କ ସହ ଯୋଗାଯୋଗ ରକ୍ଷା କରି କାର୍ଯ୍ୟ କରିବା, ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ କରି ତାହାର ଫଇସଲା କରିବା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା । ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏହି ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକ୍ରମ ସମସ୍ତ ବୁଥମାନଙ୍କରେ କରାଯାଉଥିବା ବେଳେ ଜିଲାରେ ମୋଟ୍ ୧୮୮୭ଟି ବୁଥ୍ ରହିଛି । ଜିଲାର ଭୋଟର ସଂଖ୍ୟା ଏବେ ୧୮ଲକ୍ଷ ୪୨ହଜାର ୨୨୩ରହିଛି । ଏବେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏ ସଂକ୍ରାନ୍ତରେ ଆଜି ବିଭିନ୍ନ ରାଜନୈତିକ ଦଳ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଜିଲା ପ୍ରଶାସନର ଆଲୋଚନା ହୋଇଛି । ବୈଠକରେ ଜିଲାପାଳ ଶ୍ରୀ ସୁଦର୍ଶନ ଚକ୍ରବର୍ତ୍ତୀ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲାର ପ୍ରତି ବୁଥରେ ପ୍ରକାଶ ପାଇବାକୁ ଥିବା ଡ୍ରାଫ୍ଟ ଭୋଟର ତାଲିକାର ଅନୁଧ୍ୟାନ କରିବା ସହିତ ସେଥିରେ କିଛି ତ୍ରୁଟି ଥିଲେ ତାହା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବା ଏବଂ ସଂଶୋଧନ ପାଇଁ ଭୋଟରଙ୍କୁ ସଚେତନ କରାଇବାକୁ ଜିଲାପାଳ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ କହିଥିଲେ । ସେହିପରି ଭୋଟର ହେଲ୍ପଲାଇନ ମୋବାଇଲ ଆପ୍୍ ମାଧ୍ୟମରେ ମଧ୍ୟ ଏବେ ଭୋଟରମାନେ ତ୍ରୁଟି ସଂଶୋଧନ ପାଇଁ ଆବେଦନ କରିପାରିବେ । ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ସହ ନୂତନ ଯୁବ ଭୋଟରମାନେ କିଭଳି ଅଧିକରୁ ଅଧିକ ସଂଖ୍ୟାରେ ପଞ୍ଜୀକରଣ କରିବେ ସେଥିପ୍ରତି ଉଦ୍ୟମ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ । ଭୋଟର ତାଲିକା ସଂଶୋଧନ ଚାହୁଁଥିବା ଭୋଟର ନିର୍ଦ୍ଧାରିତ ଫର୍ମ ୬, ୬(କ), ୭, ୮ ଓ ୮ (କ)ରେ ଆବେଦନ କରିପାରିବେ । ଏହି ଫର୍ମ ବୁଥ ଗୁଡ଼ିକରେ ଉପଲବ୍ଧ ହେଉଅଛି । ଯେଉଁମାନଙ୍କର ବୟସ ୦୧ ଜାନୁଆରୀ ୨୦୨୨ ସୁଦ୍ଧା ୧୮ ବର୍ଷ ବୟସ ହୋଇଛି ସେମାନେ ୬ ନମ୍ବର ଫର୍ମ ମାଧ୍ୟମରେ ବୁଥସ୍ତରୀୟ ଅଧିକାରୀଙ୍କ ନିକଟରେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ । ସଂଶୋଧନ ପ୍ରକ୍ରିୟାରେ ବିଭିନ୍ନ ଫର୍ମକୁ କିଭଳି ଠିକ୍ ଢଙ୍ଗରେ ବ୍ୟବହାର କରିହେବ ତାହା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଆସିଷ୍ଟାଂଟ କଲେକ୍ଟର (ନିର୍ବାଚନ) ମନୋଜ କୁମାର କାର୍ଜୀ, ରାଜନୈତିକ ଦଳ ପ୍ରତିନିଧି ଭୁବନାନନ୍ଦ ଦାସ, କେଶବ କୁମାର ଆଚାର୍ଯ୍ୟଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟ ବିଭାଗୀୟ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।
