ଟି-୨୦ ବିଶ୍ୱକପ୍ : ଦକ୍ଷିଣ ଆଫ୍ରିକାକୁ ୧୪୩ରନର ବିଜୟ ଲକ୍ଷ୍ୟ ଦେଲା ଶ୍ରୀଲଙ୍କା
ସାରଜା : ଟି-୨୦ ବିଶ୍ୱକପ୍ ଗ୍ରୁପ-୧ର ଏକ ମ୍ୟାଚ ଶନିବାର ୟୁଏଇର ସାରଜା ଠାରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୧୪୩ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା ।
ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଶ୍ରୀଲଙ୍କାର ଓପନର ପାଥୁମ ମିଶଙ୍କା ସର୍ବାଧିକ ୭୧ ରନ କରିଥିଲେ । ସେହିପରି ଚରିଥ ଅସଲଙ୍କା ୨୧ରନ କରିଥିଲେ । କିନ୍ତୁ ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାରୁ ଦଳର ରନଗତି ଧୀମେଇ ଯାଇଥିଲା । ଫଳରେ ଦଳ ୨୦ ଓଭରରେ ୧୪୨ରନ କରି ଅଲଆଉଟ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ତାବ୍ରାଇଜ ସାମସି ଓ ଡାଓ୍ବେନ ପ୍ରିଟୋରିଅସ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଚଳିତ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ ଓ ଗୋଟିଏ ମ୍ୟାଚରେ ପରାଜୟ ହାସଲ କରିଛି । ଫଳରେ ଦଳ ୨ ପଏଣ୍ଟ ପାଇ ଗ୍ରୁପ-୧ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ସୂଚନା ଯେ, ଶ୍ରୀଲଙ୍କା ମଧ୍ୟ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି ଓ ଅନ୍ୟଟିରେ ପରାଜୟ ବରଣ କରିଛି । ଶ୍ରୀଲଙ୍କା ୨ ପଏଣ୍ଟ ପାଇ ଗ୍ରୁପ-୧ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ଆଜି ମ୍ୟାଚ ପାଇଁ ଶ୍ରୀଲଙ୍କା ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ ।
