ଜି-୨୦ ସମିଳନୀରେ ଯୋଗ ଦେବା ପାଇଁ ରୋମରେ ପ୍ରଧାନମନ୍ତ୍ରୀ
- ୟୁରୋପୀୟ କମିଶନ ଏବଂ ପରିଷଦର ସଭାପତିଙ୍କୁ ଭେଟିଲେ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ରୋମର ୟୁରେପୀୟ କମିଶନର ସଭାପତି ଉର୍ସୁଲା ବାନ ଡର ଲେୟନ ଏବଂୟୁରୋପୀୟ ପରିଷଦର ସଭାପତି ଚାର୍ଲ୍ସ ମିଶେଲଙ୍କ ସହିତ ସାକ୍ଷାତ କରିଛନ୍ତି । ବିବରଣୀ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶେଷ କରି ବ୍ୟାପାର, ବାଣିଜ୍ୟ, ସଂସ୍କୃତି ଏବଂ ପରିବେଶ ଭଳି କ୍ଷେତ୍ରରେ ଭାରତ-ୟୁରୋପୀୟ ବନ୍ଧୁତାକୁ ସୁଦୃଢ଼ କରିବା ପାଇଁ ଆମର ବ୍ୟାପକ ଆଲୋଚନା ହୋଇଛି । ଏହା ପରେ ପ୍ରଧାନମନ୍ତ୍ରୀ ରୋମରେ ରାଷ୍ଟପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରେ ପହଂଚି ଭାରତୀୟ ସମ୍ପ୍ରଦାୟଙ୍କୁ ମଧ୍ୟ ଭେଟିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ତାଙ୍କ ସମ୍ପର୍କିତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରୋମରେ ମୋତେ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ମିଳିଲା, ଯାହାଙ୍କ ଆଦର୍ଶ ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ସାହସ ଓ ପ୍ରେରଣା ଯୋଗାଇଥାଏ ।
ପ୍ରଧାନମନ୍ତ୍ରୀ ସକାଳେ ଇଟାଲୀର ରାଜଧାନୀ ରୋମରେ ପହଂଚିଥିଲେ । ପ୍ରଧାନମନ୍ତ୍ରୀ ଏଠାରେ ଭାଟିକାନରେ ରୋମାନ କ୍ୟାଥୋଲିକ ଧର୍ମଗୁରୁ ପୋପ ଫ୍ରାନସିସଙ୍କୁ ମଧ୍ୟ ଭେଟିବେ । ସେ ୩୦-୩୧ ଅକ୍ଟୋବରରୁ ରୋମରେ ହେବାକୁ ଥିବା ୧୬ତମ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ । ଏହି ସମ୍ମିଳନୀରେ ଜି-୨୦ ସଦସ୍ୟ ରାଷ୍ଟ୍ର, ୟୁରୋପୀୟ ୟୁନିୟନ୍ ଏବଂ ଅନ୍ୟାନ୍ୟ ଆମନ୍ତ୍ରିତ ଦେଶର ମୁଖ୍ୟ ତଥା ଆନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନେ ଯୋଗଦେବେ । ଏହା ହେଉଛି ଅଷ୍ଟମ ଜି-୨୦ ଶିଖର ସମ୍ମିଳନୀ, ଯେଉଁଥିରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ । ଏହି ସମୟରେ ପ୍ରଧାନମନ୍ତ୍ରୀମୋଦୀ ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ । ଆନ୍ତର୍ଜାତୀୟ ଆର୍ôଥକ ସହଯୋଗ ପାଇଁ ଜି-୨୦ ହେଉଛି ଅଗ୍ରଣୀ ବିଶ୍ୱ ଫୋରମ୍ ।
