ବାଲେଶ୍ୱର : ଦୁର୍ନୀତି ନିବାରଣ ସଚେତନତା ପାଇଁ ୱାକାଥନ୍
ବାଲେଶ୍ୱର : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଚତୁର୍ଥ ଦିନରେ ଶୁକ୍ରବାର ବାଲେଶ୍ୱର ସହରରେ ଏକ ୱାକାଥନ (ପଦଯାତ୍ରା) ଅନୁଷ୍ଠିତ ହୋଇଯାଇଛି । ଦୁର୍ନୀତି ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ୱାକାଥନ୍ରେ କ୍ରୀଡ଼ା ଛାତ୍ରାବାସର ଛାତ୍ରୀଛାତ୍ରମାନେ ସାମିଲ ହୋଇ ସ୍ଥାନୀୟ ପବ୍ଲିକ ସ୍କୁଲର ବାହାରି ସହରର ଷ୍ଟେସନ ଛକ, ଫକୀରମୋହନ ଗୋଲେଇ ଏବଂ ଫାଣ୍ଡି ଛକ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ପ୍ରାୟ ୫୦ଜଣ ଛାତ୍ରୀଛାତ୍ର ଏହି ୱାକାଥନରେ ଅଂଶଗ୍ରହଣ କରିଥିଲେ ।
ବାଲେଶ୍ୱର ଭିଜିଲାନ୍ସ ଖଣ୍ଡ ଆରକ୍ଷୀ ଅଧୀକ୍ଷକ ନରହରି ନାୟକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ରୋକିବା ପାଇଁ ବିଭିନ୍ନସ୍ତରରେ ଉଦ୍ୟମ ସାଙ୍ଗକୁ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଭିଜିଲାନ୍ସ ଏସପି ଶ୍ରୀ ନାୟକ କହିଥିଲେ । ଏହି ଅବସରରେ ଭିଜିଲାନ୍ସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପରମେଶ୍ୱର କିଶାନ, ଭିଜିଲାନ୍ସ ଡିଏସପି ସନ୍ତୋଷ କୁମାର ସାମନ୍ତରା, ସିକନ୍ଦର ହେମ୍ବ୍ରମ, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।


