ବାଲେଶ୍ୱର : ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ଶପଥ ପାଠ
ବାଲେଶ୍ୱର : ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଅବସରରେ ଏକ ଶପଥପାଠ କାର୍ଯ୍ୟକ୍ରମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଏହି ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀଙ୍କ ସମେତ ଏନଡ଼ିଆର୍ଏଫ୍ ଓ ଓଡ୍ରାଫ୍ ଯବାନମାନେ ଯୋଗ ଦେଇ ବିପର୍ଯ୍ୟୟ ମୁକାବିଲା ପାଇଁ ସଚେତନତା ବୃଦ୍ଧି ସହ ନିଜ ଶକ୍ତି ଓ ସାମର୍ଥ୍ୟ ହିସାବରେ କାର୍ଯ୍ୟ କରିବା ଏବଂ ଉଦ୍ଧାର କାର୍ଯ୍ୟରେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଶପଥ ନେଇଥିଲେ ।
ବାଲେଶ୍ୱର ଜିଲା ଏକ ବିପର୍ଯ୍ୟୟ ପ୍ରବଣ ଜିଲା ଭାବେ ପରିଗଣିତ ହେଉଥିବା ବେଳେ ଏଥିପାଇଁ ଉଭୟ ସରକାରୀ କର୍ମଚାରୀ ଏବଂ ଜନସାଧାରଣ ସବୁବେଳେ ପ୍ରସ୍ତୁତ ରହିବାକୁ ଜିଲାପାଳ ଆହ୍ୱାନ ଦେଇଥିଲେ । ବିପର୍ଯ୍ୟୟ ମୁକାବିଲା ସମ୍ପର୍କରେ ଉପଯୁକ୍ତ ପ୍ରଶିକ୍ଷଣ ପାଇଁ ପ୍ରତି ମାସରେ ତାଲିମ କାର୍ଯ୍ୟକ୍ରମ ଆୟୋଜନ ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଭିନ୍ନ ବିଭାଗ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକ ଟିମ୍ ଭାବେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଚଳିତବର୍ଷର ପ୍ରସଙ୍ଗ “ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ପଞ୍ଚାୟତିରାଜ ଅନୁଷ୍ଠାନର କର୍ମୀ ବିପର୍ଯ୍ୟୟ ପ୍ରସ୍ତୁତିର ମେରୁଦଣ୍ଡ” ଉପରେ ଆଲୋକପାତ କରି ସେମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ବିପର୍ଯ୍ୟୟ ପରିଚାଳନାରେ ଉଭୟ ଏନଡ଼ିଆର୍ଏଫ୍ ଏବଂ ଓଡ୍ରାଫ୍ର କାର୍ଯ୍ୟକୁ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପ୍ରଶଂସା କରିଥିଲେ । ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଭବେଶ କୁମାର ନାୟକ ଯୋଗଦେଇ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଜିଲାସ୍ତରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲା ଜରୁରୀକାଳୀ ଅଧିକାରୀ ରିଜୱାନା କଅକବଙ୍କ ସଂଯୋଜନାରେ ଆୟୋଜିତ ଏହି ଶପଥପାଠ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।
