ଶନିବାର ବାଲେଶ୍ୱର ବନ୍ଦ
- ମମିତା ମେହେରଙ୍କୁ ନ୍ୟାୟ, ସମ୍ପୃକ୍ତ ମନ୍ତ୍ରୀଙ୍କୁ ବହିଷ୍କାର, ଘଟଣାର ସିବିଆଇ ତଦନ୍ତ ଓ ଜିଲାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭାଜପାର ୧୨ ଘଣ୍ଟିଆ ବନ୍ଦ ଡାକରା
ବାଲେଶ୍ୱର : ଶନିବାର ବାଲେଶ୍ୱର ବନ୍ଦ । ବିଜେପି ପକ୍ଷରୁ ୧୨ ଘଣ୍ଟିଆ (ସକାଳ ୬ରୁ ସନ୍ଧ୍ୟା ୬ଟା) ବାଲେଶ୍ୱର ବନ୍ଦ ପାଳନ ହେବ । ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି ।
ମମିତା ମେହେରଙ୍କୁ ନ୍ୟାୟ ଦାବି, ସମ୍ପୃକ୍ତ ମନ୍ତ୍ରୀଙ୍କୁ ବହିଷ୍କାର, ଘଟଣାର ସିବିଆଇ ତଦନ୍ତ ଓ ଜିଲାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗତ ବୁଧବାର ଜିଲା ଭାଜପା ତରଫରୁ ଶାନ୍ତିପୂର୍ଣ୍ଣ ଭାବରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନ କରୁଥିବା ବେଳେ କୌଣସି ପଦସ୍ଥ ଅଧିକାରୀ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରିବର୍ତ୍ତେ ଜୋର ଜବରଦସ୍ତି ଉଠାଇ ନେଇ ସହଦେବଖୁଣ୍ଟା ଥାନାରେ ଦୀର୍ଘ ସାଢ଼େ ୬ ଘଣ୍ଟା କାଳ ଅଟକାଇ ରଖିଥିଲେ । ସେଠାରେ ଖାଦ୍ୟ ପାନୀୟର କୌଣସି ବନ୍ଦୋବସ୍ତ ନଥିଲା । ଆନ୍ଦୋଳନକରୀଙ୍କୁ ଅପରାଧୀଙ୍କ ଭଳି ବ୍ୟବହାର କରାଯାଇଥିଲା । ରାଜ୍ୟ ସରକାର ଆନ୍ଦୋଳନକାରୀଙ୍କ ନାମରେ ମିଥ୍ୟା ମୋକଦ୍ଦମା, ଡରାଇ ଧମକାଇ ଆନ୍ଦୋଳନକୁ ପ୍ରଶମିତ କରିବାର ହିଟଲରୀ ଶାସନକୁ ଭାଜପା ପକ୍ଷରୁ ନିନ୍ଦା କରାଯାଇଛି । ପୋଲିସର ଏତାଦୃଶ ଦମନଲୀଳା ପ୍ରତିବାଦରେ ଆସନ୍ତା ୩୦ ତାରିଖ ଶନିବାର ୧୨ ଘଣ୍ଟିଆ ଜିଲା ବନ୍ଦ ଡ଼ାକରା ଦିଆଯାଇଛି । ନାରୀର ସମ୍ମାନ ଓ ଅପରାଧରେ ସମ୍ପୃକ୍ତ ମନ୍ତ୍ରୀଙ୍କୁ ଦଣ୍ଡବିଧାନ ସହ ବନ୍ଦକୁ ସଫଳ କରିବା ପାଇଁ ଜିଲାବାସୀଙ୍କ ସହଯୋଗ କାମନା କରିଥିବାର ଗୁରୁବାର ଏକ ପ୍ରେସ୍ ବିବୃତିରେ ଜିଲାସଭାପତି ଉମାକାନ୍ତ ମହାପାତ୍ର ଜଣାଇଛନ୍ତି ।
