ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର : ନଭେମ୍ବର ପହିଲାରେ ଖୋଲିବ ଶିମିଳିପାଳ ଅଭୟାରଣ୍ୟ
- ପିଠାବଟା ଓ ଯଶୀପୁରର କାଳିଆମି ଗେଟ୍ ପଟୁ ପ୍ରବେଶ ଅନୁମତି
- ସକାଳ ୭ଟାରୁ ରାତି ୯ଟା ଯାଏଁ ପ୍ରବେଶ ଅନୁମତି
ବାରିପଦା : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ବାରିପଦାର ପିଠାବଟା ଓ ଯଶୀପୁରର କାଳିଆମି ଗେଟ୍ ପଟୁ ପ୍ରବେଶ ଅନୁମତି ମିଳିଛି। ସକାଳ ୭ଟାରୁ ୯ଟା ମଧ୍ୟରେ ପ୍ରବେଶ କରିପାରିବେ ପର୍ଯ୍ୟଟକ। ଉଭୟ ପାର୍ଶ୍ୱରୁ ୬୦ଟି ଗାଡ଼ି ଯାଇପାରିବ। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ।
ତେବେ ପର୍ଯ୍ୟଟକଙ୍କ ପାଇଁ ପ୍ରତ୍ୟେକ ଦିନ ଯଶୀପୁର ତନଖି ଫାଟକ ଦେଇ ୩୫ଟି ଓ ବାରିପଦା ପୀଠବଟା ତନଖି ଫାଟକ ଦେଇ ୨୫ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିବ । ରାତ୍ରିରହଣି ପାଇଁ ପର୍ଯ୍ୟଟକମାନେ ଓଡିଶା ଇକୋ ଟୁରିଜିମ୍ ଓ୍ବେବ୍ସାଇଟ୍ରେ ନିଜର ରହଣି ସ୍ଥାନ ଚୟନ କରିପାରିବେ । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବିଭିନ୍ନ ରାତ୍ରିରହଣି କଟେଜ୍ଗୁଡିକ ଅନେକ ରଙ୍ଗବେରଙ୍ଗରେ ସଜେଇ ହୋଇଛି । ୨୭୫୦ ବର୍ଗ କି.ମି. ପରିମିତ ଜାତୀୟ ଉଦ୍ୟାନ ଶିମିଳିପାଳ ଭିତରେ ପର୍ଯ୍ୟଟକଙ୍କ ରାତ୍ରୀ ଯାପନ ପାଇଁ ଗୁରୁଗୁଡ଼ିଆ, କୁମାରୀ, ବରେହିପାଣି, ଜାମୁଆଣି ଓ ରାମତୀର୍ଥରେ କଟେଜ୍ଗୁଡିକ ରହିଥିବା ବେଳେ ପର୍ଯ୍ୟଟକଙ୍କ ମନ ମୋହିବାକୁ ଶିମିଳିପାଳ କୋଳରେ ବହିଯାଉଥିବା ବରେହିପାଣି, ଉସ୍କି, ଜୋରନ୍ଦା ପରି ଅନେକ ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଶିମିଳିପାଳରେ ରାତ୍ର ଯାପନ କରିବାକୁ ହେଲେ ଅନ୍ଲାଇନ୍ରେ ବୁକିଂ କରିପାରିବେ। ବୁକିଂ ପରେ ଅନୁମତି ମିଳିଲେ ପର୍ଯ୍ୟଟକମାନେ ରାତ୍ର ରହଣୀ କରିପାରିବେ। ଅଭୟାରଣ୍ୟ ଭିତରେ ପ୍ରବେଶ ସମୟରେ କୌଣସି ପର୍ଯ୍ୟଟକ ପ୍ଲାଷ୍ଟି ବୋତଲ ନେଇପାରିବେ ନାହିଁ। ପର୍ଯ୍ୟଟକଙ୍କୁ ଆକ୍ୱାଗାର୍ଡ ପାଣି ଯୋଗାଇ ଦିଆଯିବ ବୋଲି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି। ସୂଚନା ଯେ, ମହାମାରୀ କରୋନା ପାଇଁ ବନ୍ଦ ରହିଥିଲା ଅଭୟାରଣ୍ୟ। କରୋନାର କୋପ କମିବା ପରେ ଖୋଲିଥିଲା। ପରେ ଅର୍ଥାତ ମେ’ ୧୫ ତାରିଖରେ ବର୍ଷା ଋତୁକୁ ଆଖି ଆଗରେ ରଖି ବନ୍ଦ କରାଯାଇଥିଲା ଅଭୟାରଣ୍ୟ। ତେବେ ପ୍ରଶ୍ନ ଉଠୁଛି ଏହି ସମୟରେ କାହିଁକି ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହେ? ବର୍ଷା ଋତୁରେ ଅଭୟାରଣ୍ୟର ରାସ୍ତା ଖରାପ ହୋଇଯାଇଥାଏ। ପାଦ ପାଦରେ ବିପଦ ରହିଥାଏ। ଘଞ୍ଚ ଅଭୟାରଣ୍ୟରେ ଜୀବଜନ୍ତୁମାନେ ପ୍ରଜନନ କରିଥାଆନ୍ତି। ସେଥିପାଇଁ ସେମାନେ ହିଂସ୍ର ହୋଇଯାଇଥାଆନ୍ତି ବୋଲି କୁହାଯାଉଛି।
