ନଭେମ୍ବର ୧ରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ
- ରାଜ୍ୟରେ ୧୦ ଲକ୍ଷ ସଭ୍ୟ ସଂଗ୍ରହ ହେବ
ଭୁବନେଶ୍ୱର : ୨୦୨୧ -୨୫ ବର୍ଷ ନିମନ୍ତେ ନଭେମ୍ବର ୧ ତାରିଖରୁ କଂଗ୍ରେସ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ଯଜେ୍ଞଶ୍ୱର ବାବୁ କହିଲେ ଯେ ଆସନ୍ତା ୧ ତାରିଖ ଦିନ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ସାଂସଦ ଡ. ଏ ଚେଲା କୁମାର ରାଜ୍ୟସ୍ତରୀୟ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ଏଆଇସିସି ସଂପାଦକ ଜି ରୁଦ୍ର ରାଜୁ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବଶ୍ୱାଳ, ସମସ୍ତ ବିଧାୟକ ଓ ସାଂସଦ ଗଣ, ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସମେତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ରହିବେ । ସମଗ୍ର ରାଜ୍ୟରେ ୧୦ ଲକ୍ଷ ନୂତନ ସଭ୍ୟ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ବାବୁ ସୂଚନା ଦେଇଥିଲେ ।
ସେହିପରି ବଲାଙ୍ଗିରର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତିକୁ ନେଇ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟ ବ୍ୟାପି ବିକ୍ଷୋଭ ଏବଂ ମନ୍ତ୍ରୀଙ୍କର ଇସ୍ତଫା ଦାବି କରାଯାଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଉଦାସୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । କଂଗ୍ରେସ ଦଳ ପକ୍ଷରୁ ଆସନ୍ତା କାଲି ଏଆଇସିସି ସାଧାରଣ ସଂପାଦକ ରଣଦୀପ ସିଂ ସୁରେଜୱାଲା, କଂଗ୍ରେସ ପ୍ରଭାରୀ ଡ. ଏ ଚେଲା କୁମାର, ପିସିିିସି ସଭାପତି ନିରଞ୍ଜନ ପଟ୍ଟନାୟକ ତୁରେକେଲା ବ୍ଲକର ଝରନୀ ଗ୍ରାମ ଗସ୍ତକରି ପୀଡ଼ିତ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ପାଇଁ ଯାଉଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସନ୍ତୋଷ ସିଂ ସାଲୁଜା, ପ୍ରାକ୍ତନ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଯେପର୍ଯ୍ୟନ୍ତ ପୀଡ଼ିତାକୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ କଂଗ୍ରେସ ତା’ର ସଂଗ୍ରାମ ଜାରି ରଖିବ ବୋଲି ସେ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ପଦ୍ମାକର ଗୁରୁ, ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଉପସ୍ଥିତ ଥିଲେ ।
