ବିବାଦୀୟ ବୟାନ ପରେ କ୍ଷମା ମାଗିଲେ ୱାକର ୟୁନିସ୍
ନୂଆଦିଲ୍ଲୀ : ବିବାଦୀୟ ବୟାନ ଦେବାର ଗୋଟିଏ ଦିନ ପରେ କ୍ଷମା ମାଗିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ୱାକର ୟୁନିସ୍। ହିନ୍ଦୁମାନଙ୍କ ସମ୍ମୁଖରେ ପାକିସ୍ତାନୀ ଓପନର ମହମ୍ମଦ ରିଜୱାନ ନମାଜ କରିବା ତାଙ୍କ ପାଇଁ ବହୁତ ଖାସ୍ ଥିଲା ବୋଲି କହିଥିଲେ ୱାକର। ତେବେ ଏହାକୁ ନେଇ ବିବାଦ ଦେଖାଯିବା ପରେ ସେ ଟ୍ୱିଟ୍ କରି କ୍ଷମା ମାଗିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି- ଉତ୍ତେଜିତ ହୋଇ ମୁଁ କିଛି କହି ଦେଇଥିଲି, ଯାହା ଅନେକଙ୍କ ଭାବନାକୁ ଆଘାତ ଦେଇଛି। ତେବେ ସେମାନଙ୍କ ଭାବନାକୁ ଆଘାତ କରିବା ମୋର ଉଦ୍ଦେଶ୍ୟ ନଥିଲା। ମୁଁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି। ଅଜାଣତରେ ଏହି ଭୁଲ୍ ହୋଇଯାଇଥିଲା। ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ କ୍ରୀଡ଼ା ସମସ୍ତଙ୍କୁ ଏକଜୁଟ୍ କରିଥାଏ।
ହିନ୍ଦୁମାନଙ୍କ ସମ୍ମୁଖରେ ରିଜୱାନଙ୍କ ନମାଜକୁ ନେଇ ୱାକର ଦେଇଥିବା ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଥିଲେ ଭାରତୀୟ ଭାଷ୍ୟକାର ହର୍ଷ ଭୋଗଲେ। ସେ କହିଥିଲେ ଯେ ୱାକର ୟୁନିସ୍ଙ୍କ ଏଭଳି ମନ୍ତବ୍ୟ ଖୁବ୍ ବିପଜ୍ଜନକ। କ୍ରିକେଟ୍ ସହିତ ଜଡ଼ିତ ସମସ୍ତ ଲୋକ ଏକଜୁଟ୍ ହେବା ଉଚିତ୍। ଧର୍ମ ନାଁରେ ସେମାନେ ବିଭାଜିତ ହେବା ଉଚିତ୍ ନୁହେଁ। ଏହା ସହିତ ହର୍ଷ କହିଥିଲେ, ୱାକର ୟୁନିସ୍ଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଠାରୁ ଏଭଳି ମନ୍ତବ୍ୟ କେବେ ଆଶା କରାଯାଏ ନାହିଁ। ଏହା ମର୍ମାହତ କରିଛି। କ୍ରିକେଟର ମାନେ ଆଉ ଟିକେ ଦାୟିତ୍ୱବାନ ହେବା ଉଚିତ୍। ମୁଁ ନିଶ୍ଚିତ ଯେ ୱାକର ଏଥିପାଇଁ କ୍ଷମା ମାଗିବ। ସୂଚନା ଯେ, ଗତ ରବିବାର ଟି-୨୦ ବିଶ୍ୱକପ୍ରେ ଭାରତ ବିପକ୍ଷ ମ୍ୟାଚ୍ରେ ଡ୍ରିଙ୍କସ ବ୍ରେକ୍ ବେଳେ ମହମ୍ମଦ ରିଜୱାନ ନମାଜ କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
