ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ନେଟସ୍ରେ ଝାଳ ବୁହାଇଛନ୍ତି ଭାରତୀୟ ଖେଳାଳି
ଦୁବାଇ : ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଟି-୨୦ ବିଶ୍ୱକପରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ପ୍ରତିଦ୍ୱନ୍ଦ୍ୱିତା ହେବ । ଏହି ମ୍ୟାଚ୍ ଭାରତୀୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ ପ୍ରଥମ ମ୍ୟାଚରେ ୧୦ୱିକେଟ୍ ବ୍ୟବଧାନରେ ହାରିଛି । ସେପଟେ କ୍ରମାଗତ ଦୁଇଟି ମ୍ୟାଚ୍ ଜିତି ଗ୍ରୁପ୍-୨ରୁ ସେମିଫାଇନାଲ୍ ପାଇଁ ପାକିସ୍ତାନ ଦଳ ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହୋଇପାରିଛି । ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ମଧ୍ୟରେ ମୁକାବିଲା ହେବାକୁ ଥିବାରୁ ଉକ୍ତ ମ୍ୟାଚରେ ଭାରତ ଜିତିବା ବେଶ ଗୁରୁତ୍ବ ବହନ କରୁଛି ।
ଟି-୨୦ ବିଶ୍ବକପରେ ନିଜର ପ୍ରଥମ ମ୍ୟାଚ ହାରିଥିବା ଭାରତ ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି । ପ୍ରଥମ ମ୍ୟାଚ ପରାଜୟର ପ୍ରତିଶୋଧ ନ୍ୟୁଜିଲାଣ୍ଡ ସହ ନେବାକୁ ଜୋରଦାର କସରତ୍ କରୁଛି ଟିମ ଇଣ୍ଡିଆ । ଆଜି ନେଟସ୍ରେ ବେଶ କିଛି ସମୟ ଝାଳ ବୁହାଇଛନ୍ତି ଭାରତୀୟ ଖେଳାଳିମାନେ । କାରଣ ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ଲଜ୍ଜାଜନକ ପରାଜୟ ବରଣ କରିବା ପରେ ଏବେ ପରବର୍ତ୍ତୀ ମ୍ୟାଚକୁ ଫୋକସରେ ରଖିଛି ବିରାଟ ବ୍ରିଗେଡ୍ । ତେବେ ବୁଧବାର ଆଇସିସି କ୍ରିକେଟ ଏକାଡେମୀରେ ଭାରତୀୟ ଖେଳାଳିମାନେ ଅଭ୍ୟାସ କରିଛନ୍ତି । ଏହାରି ମଧ୍ୟରେ ଭାରତୀୟ କ୍ରିକେଟରମାନଙ୍କ ପାଇଁ ଖୁସି ଖବର ମିଳିଛି । ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅଭ୍ୟାସ ସମୟରେ ବୋଲିଂ କରୁଥିବା ଦେଖିବାକୁ ମିଳିଛି । ନେଟସ୍ରେ ଝାଳ ବୁହା ପରିଶ୍ରମ କରିଛନ୍ତି ପାଣ୍ଡ୍ୟା । ବୋଲିଂ କରିବା ସମୟରେ ସେ ବେଶ ଆକ୍ରମଣାତ୍ମକ ଜଣାପଡୁଥିଲେ । ସୂଚନା ଯେ, ଅଣ୍ଟାରେ ଆହତ ଜନୀତ ସମସ୍ୟା କାରଣରୁ କିଛି ଦିନ ହେଲା ବୋଲିଂ କରୁନାହାନ୍ତି ପାଣ୍ଡ୍ୟା । ଚଳିତ ବର୍ଷ ଆଇପିଏଲରେ ସେ ଗୋଟିଏ ବି ଓଭର ବୋଲିଂ କରିନଥିଲେ । ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ ସେ ବୋଲିଂ କରିନଥିଲେ । ବ୍ୟାଟିଂରେ ମଧ୍ୟ କମାଲ କରିପାରିନଥିଲେ ପାଣ୍ଡ୍ୟା । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟା ବୋଲିଂ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ କଥା ହେଉଛି ଯଦି ପାଣ୍ଡ୍ୟା ବୋଲିଂ ନକରନ୍ତି ତେବେ ସେ ଖେଳିବା ସମ୍ଭାବନା କମ । କାରଣ ଇଶାନ କିଶନ ଫର୍ମରେ ଥିବାରୁ ପାଣ୍ଡ୍ୟାଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରାଯାଇପାରେ । ସେପଟେ ବୋଲିଂ କଥା କହିବାକୁ ଗଲେ ଦଳରେ ୫ ଜଣ ବୋଲରଙ୍କୁ ନେଇ ହିଁ ପଡିଆକୁ ଓଲ୍ଲାଇବ । ବିକଳ୍ପ ବୋଲର ଭାବେ ଦଳରେ କେହି ନଥିବାରୁ ପାଣ୍ଡ୍ୟା ବୋଲିଂ କରିବା ନିହାତି ଆବଶ୍ୟକ ହୋଇପଡିଛି । ଯଦି ପାଣ୍ଡ୍ୟା ପରବର୍ତ୍ତୀ ମ୍ୟାଚରେ ବୋଲିଂ କରନ୍ତି ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ସନ୍ତୁଳିତ ବୋଲିଂ ଦେଖିବାକୁ ମିଳିବ । ବୋଲିଂ ପାଇଁ ଯଦି ସେ ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇଯାଆନ୍ତି ତେବେ ସେ ପରବର୍ତ୍ତୀ ମ୍ୟାଚ ଖେଳିବା ଏକ ପ୍ରକାର ସ୍ପଷ୍ଟ ଜଣାପଡୁଛି ।
