ନନ୍ଦନକାନନରେ ଯୁବକଙ୍କ ହାତକୁ କାମୁଡିଲା ଭାଲୁ
ଭୁବନେଶ୍ୱର : ଭୁବନେଶ୍ୱରର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ଭାଲୁ ସଫାରୀରେ ଆଜି ଅଘଟଣ ଘଟିଛି । ବୁଧବାର ସନ୍ଧ୍ୟାରେ ସଫାରୀ ଭ୍ରମଣ ବେଳେ ଜଣେ ଯୁବକଙ୍କ ହାତକୁ ଭାଲୁ କାମୁଡ଼ି ଦେବା ଫଳରେ ସେ ଆହତ ହୋଇଛନ୍ତି । ଆହତ ଯୁବକ ହେଲେ ଚନ୍ଦକା ଥାନା ଅନ୍ତର୍ଗତ ଦାରୁଠେଙ୍ଗ ଗାଁର ଟୁଲୁ ବେହେରା (୩୫) । ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି ।
ଅନ୍ୟପଟରେ ଘଟଣା ସମ୍ପର୍କରେ ନନ୍ଦନକାନନ ଡେପୁଟି ଡାଇରେକ୍ଟର ସଂଜୀବ କୁମାର କହିଛନ୍ତି, ଯେଉଁ ଯୁବକ ଜଣକ ଭାଲୁ କାମୁଡାରେ ରକ୍ତାକ୍ତ ହୋଇଛନ୍ତି, ସେ ଜଣେ ଅଣସ୍ୱୀକୃତିପ୍ରାପ୍ତ ଗାଇଡ଼ଥିଲେ । ସୂଚନା ଅନୁସାରେ ଭାଲୁ ସଫାରୀରେ ସନ୍ଧ୍ୟା ୫ଟାରେ ଶେଷ ସଫାରୀ ବସ ପରିଭ୍ରମଣ କରିଥିଲା । ଏହି ସଫାରୀରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ । ଭ୍ରମଣ ସମୟରେ ଟୁଲୁ ବେହେରା ନିଜ ହାତ ବାହାରକୁ ବଢ଼ାଇ ଦେଇଥିଲେ । ଏହି ସମୟରେ ଏକ ଭାଲୁ ଟୁଲୁଙ୍କ ହାତକୁ କାମୁଡି ରକ୍ତାକ୍ତ କରିଦେଇଥିଲା । ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଉଲ୍ଲେଖ୍ୟଯୋଗ୍ୟ ୨ ବର୍ଷ ପୂର୍ବରୁ ମଧ୍ୟ ଭାଲୁ ସଫାରୀରେ ଜଣେ ପର୍ଯ୍ୟଟକ ଆକ୍ରମଣର ଶିକାର ହୋଇଥିଲେ ।
