ଝୁଲିଲା ଆର୍ଯ୍ୟନ୍ଙ୍କ ଭାଗ୍ୟ, ପୁଣି ଘୁଂଚିଲା ଶୁଣାଣି
- ବୁଧବାର ରାତି ବି ଜେଲରେ କଟାଇବେ ଆର୍ଯ୍ୟନ୍ ଖାଁ
ମୁମ୍ବାଇ: ଡ୍ରଗ୍ସ କେସ୍ ମାମଲାରେ ଆର୍ଯ୍ୟନ୍ ଖାନ୍ଙ୍କୁ ମିଳିଲାନି ଆଶ୍ୱସ୍ତି । ତାରିଖ ଉପରେ ତାରିଖ ଯାଉଛି ଗଡି, ହେଲେ ମିଳୁନି ବେଲ୍ । ପୁଣିଥରେ କାଲିକୁ ଘୁଂଚିଲା ତାଙ୍କ ଜାମିନ ଆବେଦନର ଶୁଣାଣି । ବମ୍ବେ ହାଇକୋର୍ଟରେ ତାଙ୍କର ବୁଧବାର ଜାମିନ ଆବେଦନର ଶୁଣାଣି ଅସମାପ୍ତ ରହିଛି । ଆସନ୍ତା କାଲି ୩ଟାରେ ଏହି ମାମଲାର ଶୁଣାଣି ହେବ । ଆର୍ଯ୍ୟନ୍ଙ୍କୁ ଆହୁରି ଦିନେ ଜେଲ୍ରୁ ମୁକୁଳିବା ପାଇଁ ଅପେକ୍ଷା କରିବାକୁ ପଡିପାରେ । ଆର୍ଯ୍ୟନ୍, ମୁନ୍ମୁନ୍ ଧମେଚା ଏବଂ ଅରବାଜ ମର୍ଚ୍ଚାଂଟଙ୍କ ଜାମିନ ପାଇଁ ତାଙ୍କ ଓକିଲଙ୍କ ତରଫରୁ କୋର୍ଟରେ ଯୁକ୍ତି ସରିଛି ।
ଗୁରୁବାର ଏନ୍ସିବି ବିଚାରପତିଙ୍କ ଆଗରେ ନିଜ ପକ୍ଷ ରଖିବ ଏନ୍ସିବି । ଘେଂଟ ଭିତରେ ନିଜ ଯୁକ୍ତି ସାରିବାକୁ ଏନ୍ସିବି ତରଫରୁ ଆଡିସନାଲ ସଲିସିଟର ଜେନରାଲ ଅନୀଲ ସିଂ କହିଛନ୍ତି । ତେବେ ଗୁରୁବାର ହିଁ ଆର୍ଯ୍ୟନ୍ଙ୍କୁ ଜାମିନ ମିଳିପାରେ ବୋଲି ଆଶା କରାଯାଉଛି । ସୂଚନା ଯେ, ଗତ ବୁଧବାର ଭଳି ଆର୍ଯ୍ୟନ୍ ଜାମିନ ଆବେଦନ ମାମଲାର ଶୁଣାଣି ବେଳେ ବମ୍ବେ ହାଇକୋର୍ଟରେ ହାଇଡ୍ରାମା ହୋଇଥିଲା । ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗି ଆର୍ଯ୍ୟନ୍ଙ୍କ ଜାମିନ ଦେବା ପାଇଁ କଳେବେଳ କୌଶଲେ ଲାଗି ପଡିଥିବା ବେଳେ ଏନ୍ସିବି କିନ୍ତୁ ବିରୋଧ କରୁଛି । ମୁମ୍ବାଇ କ୍ରୁଜ ରେଭ୍ ପାର୍ଟି ମାମଲାରେ ଧରା ପଡିବା ପରେ ଅକ୍ଟୋବର ୨ରେ ଗିରଫ ହୋଇ ମୁମ୍ବାଇର ଆର୍ଥର ରୋଡ ଜେଲରେ ଆର୍ଯ୍ୟନ ଖାନ । ବମ୍ବୋ ହାଇକୋର୍ଟରେ ମଙ୍ଗଳବାର ଠାରୁ ତାଙ୍କ ଜାମିନ ଆବେଦନର ଶୁଣାଣି ଜାରି ରହିଛି । ଏହାପୂର୍ବରୁ ସେସନ୍ କୋର୍ଟ ଏବଂ ମାଜିଷ୍ଟ୍ରେଟ୍ କୋର୍ଟ ଆର୍ଯ୍ୟନ୍ ଖାନଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ । ଆର୍ଯ୍ୟନ୍ ଗତ ୨୪ଦିନ ହେଲା ଜେଲ୍ରେ ଅଛନ୍ତି ।
