ଋଣ ସମ୍ପ୍ରସାରଣ ଶିବିର : ୪୦୯୯ ହିତାଧିକାରୀଙ୍କୁ ୧୦୬.୧୭ କୋଟିର ଋଣ ପ୍ରଦାନ
ବାଲେଶ୍ୱର : ଭାରତ ସରକାରଙ୍କ ଅଧୀନ ଡିଏଫ୍ଏସ୍ ନିର୍ଦ୍ଦେଶନାରେ ଜିଲା ଅଗ୍ରଣୀ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ଅନ୍ୟ ସମସ୍ତ ବ୍ୟାଙ୍କ ସମନ୍ୱୟରେ ବୁଧବାର ଏକ ଋଣ ସମ୍ପ୍ରସାରଣ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ଋଣ ଶିବିରକୁ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଉପ ଅଞ୍ଚଳ ପ୍ରବନ୍ଧକ ନିଶିକାନ୍ତ ସିଂ, ଜିଲା ଉନ୍ନୟନ ଅଧିକାରୀ, ନାବାର୍ଡ଼ ତାପସ ପ୍ରଧାନ, କ୍ଷେତ୍ରୀୟ ପ୍ରବନ୍ଧକ, ୟୁନିଅନ ବ୍ୟାଙ୍କ ଶଙ୍କର ହେମ୍ବ୍ରମ, ଜିଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ସୁଦୀପ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହିତ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ବୃନ୍ଦ ତଥା ସରକାରୀ ବିଭାଗୀୟ ଅଧିକାରୀ ଏବଂ ଗ୍ରାହକ ପ୍ରମୁଖ ଉପସ୍ଥିତ ଥିଲେ ।
ଉକ୍ତ ଋଣ ଶିବିରର ମୁଖ୍ୟ ଉଦ୍ଦ୍ୟେଶ ଥିଲା କରୋନା ମହାମାରୀ ଦ୍ୱାରା ବିପର୍ଯ୍ୟସ୍ତ ଅର୍ଥନୀତିକୁ ସରକାରଙ୍କ ଦ୍ୱାରା ଘୋଷିତ ପ୍ରୋତ୍ସାହନ ସ୍କିମ୍କୁ କାର୍ଯ୍ୟକାରୀ କରିବା ସହିତ ସର୍ବସାଧାରଣ ଏବଂ ଗ୍ରାହକ ମାନଙ୍କୁ ଉପଲବ୍ଧ କରାଇବା । ମୁଖ୍ୟତଃ କୃଷି, ଅଣୁକ୍ଷୁଦ୍ର ଶିଳ୍ପ, ଗୃହ ଋଣ, ଗୋଷ୍ଠୀ ଋଣ ଇତ୍ୟାଦିକୁ ଅଗ୍ରାଧିକାର ଦେବା ସହିତ ଖାଉଟି ଉପଭୁକ୍ତ ଋଣ, ଅଟୋମୋବାଇଲ ଋଣକୁ ପ୍ରାଧାନ୍ୟ ଦେବା ଯାହାଦ୍ୱାରା ଉତ୍ପାଦନ ଏବଂ ଉପଭୋଗ୍ୟ ସମତାଳରେ ଆଗେଇ ଚାଲିବ । ଏହାଦ୍ୱାରା ଅର୍ଥନୈତିକ ଅଗ୍ରଗତି ସହିତ ନୂତନ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ । ଅନ୍ୟ ସରକାରୀ ପ୍ରାୟୋଜିତ ଋଣ ସ୍କିମ (PMEGP, PMKISHAN, PMFBY, PMFME, PMSVNIDHI, MUDRA, MKUY, SHG, BALARAM, INTEREST SUBVENTION) କୁ ପ୍ରାଥମିକତା ଭିତ୍ତିରେ ବିଶ୍ଳେଷଣ କରି ଋଣ ପ୍ରଦାନ କରିବା ଓ ଏହି ଶିବିରର ଅନ୍ୟ ଆଭିମୁଖ୍ୟ ହେଲା ସାମାଜିକ ସୁରକ୍ଷା ସ୍କିମ ଯଥା PMJDY, PMSBY, PMJJBY, APYରେ ଗ୍ରାହକମାନଙ୍କୁ ଅନ୍ତର୍ଭୁକ୍ତ କରାଇବା, ଏହାସହିତ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହନ ଦେବା ସହିତ ତତ୍ସମ୍ବନ୍ଧିତ ନିରାପତ୍ତା ସତର୍କତା ଅବଲମ୍ବନ କରିବା ଏବଂ ଆର୍ôଥକ ଅନୁଶାସନ ପାଳନ କରିବା ଇତ୍ୟାଦି ବିଷୟରେ ଗ୍ରାହକଙ୍କୁ ଅବଗତ କରାଇବା । ଉକ୍ତ ଶିବିରରେ ଜିଲାର ସମସ୍ତ କାର୍ଯ୍ୟରତ ବ୍ୟାଙ୍କ ସମୂହ ଷ୍ଟଲ ବ୍ୟବସ୍ଥା କରି ନିଜ ନିଜ ବ୍ୟାଙ୍କର ସ୍କିମ୍ ପ୍ରଦର୍ଶନ କରିବା ସହିତ ଗ୍ରାହକମାନଙ୍କୁ ସରଳ ଭାଷାରେ ବ୍ୟାଙ୍କ ପରି ସେବା ବିଷୟରେ ବୁଝାଇଥିଲେ । କାର୍ଯ୍ୟକ୍ରମର ପର୍ଯ୍ୟାପ୍ତ ପ୍ରଚାର ଏବଂ ପ୍ରସାର ପାଇଁ ସମସ୍ତ ପ୍ରିଣ୍ଟ ଏବଂ ଡିଜିଟ୍ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାନ୍ତର କରିବା ପାଇଁ ସହଯୋଗ କରିଥିଲେ । ଏହି ଋଣ ପ୍ରସାରଣ ଶିବିରରେ ୪୦୯୯ ଜଣ ହିତାଧିକାରୀଙ୍କୁ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ୧୦୬.୧୭ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା ।
