ହାଇଦ୍ରାବାଦରୁ ୪୨ ଶ୍ରମିକଙ୍କୁ ଉଦ୍ଧାର କଲା ଶ୍ରମ ବିଭାଗ
କୋରାପୁଟ : ହାଇଦ୍ରାବାଦ କାମ କରିବାକୁ ଯାଇ ସେଠାରେ ନିର୍ଯାତନାର ଶିକାର ହୋଇଥିବା ଶ୍ରମିକଙ୍କୁ ଉଦ୍ଧାର କରିଛି କୋରାପୁଟ ଜିଲା ଶ୍ରମ ବିଭାଗ । କୋରାପୁଟ ଜିଲା କୋଟପାଡ ଅଂଚଳର ବିଭିନ୍ନ ଗ୍ରାମର ୪୨ ଜଣ ଶ୍ରମିକ କାମ କରିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ ବିଭିନ୍ନ ଇଟା ଭାଟିରେ ନିୟୋଜିତ ହୋଇଥିଲେ । ଗତ ସେପ୍ଟେମ୍ବର ୨୦ ତାରିଖରେ ୪୨ ଜଣ ଶ୍ରମିକ ଯାଇଥିଲେ । ସେଠାରେ ମାଲିକ ଶ୍ରମିକ ମାନଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଶେଷରେ ଶ୍ରମିକ ନିଜେ ଅସୁରକ୍ଷିତ ମନେ କରି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରେ କୋଟପାଡ ଅଞ୍ଚଳର ସମାଜସେବି ଅଜିତ ପଟ୍ଟନାୟକ ଜୟପୁର ସ୍ଥିତ ଜିଲା ଶ୍ରମ ଅଧିକାରି ପ୍ରସନ୍ନ ପାଣିଗ୍ରାହୀଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପାଇବା ପରେ ଜିଲା ଶ୍ରମ ଅଧିକାରି ହାଇଦ୍ରାବାଦର ଲିଆସଲିଙ୍ଗ ଅଫିସର ଟି. ରମେଶ ଓ ତେଲଙ୍ଗାନାର ଶ୍ରମ ବିଭାଗ ସହ ଆଲୋଚନା କରିଥିଲେ । ସେମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ଶ୍ରମିକ ମାନେ ହାଇଦ୍ରାବାଦର ପଇଦାବାଲି ଜିଲାର ବିଭିନ୍ନ ଇଟା ଭାଟିରେ ନିୟୋଜିତ ହୋଇଥିଲେ । ଶେଷରେ ୪୨ ଜଣ ଶ୍ରମିକ ଜିଲା ଶ୍ରମ ଅଧିକାରି ଶ୍ରୀ ପାଣିଗ୍ରାହିଙ୍କ ଉଦ୍ୟମରେ ମଙ୍ଗଳବାର ଫେରିଛନ୍ତି । ସମସ୍ତେ ଜିଲା ଶ୍ରମ କାର୍ଯ୍ୟାଳୟକୁ ଯାଇ ନିଜ ନିଜ ଗ୍ରାମକୁ ଫେରିଥିବା ଜଣାଯାଇଛି । ଏଥିରୁ ବହୁ ଜଣ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସାମିଲ୍ ହୋଇ ନଥିବାରୁ ସେମାନଙ୍କ ଫର୍ମ ପୁରଣ କରାଯାଇ ସାମିଲ କରିବାକୁ ପଦକ୍ଷେପ ନିଆଯିବ ବୋଲି ଜିଲା ଶ୍ରମ ଅଧିକାରି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
