ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍
ଭୁବନେଶ୍ୱର : ନଭେମ୍ବର ୨୪ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିଅର ପୁରୁଷ ହକି ବିଶ୍ୱକପ୍ । ଡିସେମ୍ବର ୫ ଯାଏଁ ୪ଟି ଗ୍ରୁପରେ ୧୬ଟି ଟିମକୁ ନେଇ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । ତେବେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବିନା ଦର୍ଶକରେ ମ୍ୟାଚ୍ ଖେଳାଯିବ ।
ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ବାରଣ କରାଯାଇଥିବାରୁ ସମସ୍ତ ମ୍ୟାଚର ସିଧାପ୍ରସାରଣ କରାଯିବ । ଏନେଇ ହକି ଇଣ୍ଡିଆ ଓ ଏଫ୍ଆଇଏଚ୍ ନିଷ୍ପତି ନେବେ । ଉଭୟ ଖେଳାଳି ଓ ହକି ପ୍ରେମୀଙ୍କ ସ୍ୱାସ୍ୟ୍ଥ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ମ୍ୟାଚ ବେଳେ କେବଳ ଅନୁମତି ପାଇଥିବା ବ୍ୟକ୍ତି ଷ୍ଟାଡିୟମକୁ ପ୍ରବେଶ କରିପାରିବେ । ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ । ଜୁନିଅର ପୁରୁଷ ହକି ବିଶ୍ୱକପ୍ ରେ ଆୟୋଜକ ଭାରତ ସହ ଆର୍ଜେଂଟିନା, ବେଲଜିୟମ, କାନାଡ଼ା, ଚିଲି, ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ, କୋରିଆ, ମାଲେସିଆ, ପାକିସ୍ତାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ୍, ନେଦରଲ୍ୟାଣ୍ଡ୍ସ ସହ ଆମେରିକା ଟିମ୍ ଭାଗ ନେବ । ୫ ଦିନ ଧରି ପୁଲ୍ ଷ୍ଟେଜ୍ ମ୍ୟାଚ ଖେଳାଯିବ । ନଭେମ୍ବର ୩୦ରୁ କ୍ଲାସିଫିକେସନ୍ ମ୍ୟାଚ, ଡିସେମ୍ବର ୧ରେ କ୍ୱାର୍ଟର ଫାଇନାଲ, ୩ରେ ସେମି ଫାଇନାଲ ଏବଂ ୫ ତାରିଖରେ ଟାଇଟଲ ଲଢ଼େଇ ହେବ ।
