ଟି-୨୦ ବିଶ୍ୱକପ୍ : ଓ୍ବେଷ୍ଟଇଣ୍ଡିଜକୁ ୮ ଓ୍ବିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା
ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୮ ଓ୍ବିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଫଳରେ ଓ୍ବେଷ୍ଟଇଣ୍ଡିଜର ଏହା ହେଉଛି ଲଗାତାର ୨ୟ ପରାଜୟ । ଓ୍ବେଷ୍ଟ ଇଣ୍ଡିଜ ଦ୍ବାରା ରଖାଯାଇଥିବା ୧୪୪ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୨ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଆଇଡେନ ମାର୍କମାନ, ରାଶି ଭାନ ଡର ଦୁସେନ ୪୩ ଓ ରିଜା ହେଣ୍ଡରିକ୍ସ ୩୯ ରନ କରିଥିଲେ ।
ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜଦଳ ଆରମ୍ଭରୁ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲା । ଓପନର ଏଭିନ ଲୁଇସ ମାତ୍ର ୩୫ ବଲରେ ୫୬ରନ କରିଥିଲେ । ଲେଣ୍ଡି ସାଇମନ୍ସ ୧୬ ଓ କେରନ ପୋଲାର୍ଡ ୨୬ରନ କରିଥିଲେ । ତାରକା ବ୍ୟାଟ୍ସମ୍ୟାନ କ୍ରିସ ଗେଲ ମାତ୍ର ୧୨ ରନ କରି ଆଉଟ ହୋଇଥିଲେ । ତେବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳର ରନଗତି ଧୀମେଇ ଯାଇଥିଲା ଓ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୩ ରନ କରିପାରିଥିଲା । ଉଭୟ ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ନିଜ ନିଜର ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଥିଲେ । ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆଠାରୁ ପରାଜୟ ବରଣ କରିଥିବାବେଳେ ଓ୍ବେଷ୍ଟ ଇଣ୍ଡିଜକୁ ଇଂଲଣ୍ଡ ହରାଇଥିଲା । ଏଣୁ ଏହି ମ୍ୟାଚ ଜିତି ନିଜର ବିଜୟ ଅଭିଯାନ ଆରମ୍ଭ କରିବାକୁ ଉଭୟ ଉଦ୍ୟମ କରିବେ ।
