ବାଲେଶ୍ୱର : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଶପଥ ପାଠ
ବାଲେଶ୍ୱର : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ଶପଥପାଠ କାର୍ଯ୍ୟକ୍ରମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀଙ୍କ ସମେତ ଏନଡ଼ିଆର୍ଏଫ୍ ଯବାନମାନେ ଏଥିରେ ଯୋଗଦେଇ ଜୀବନର ସବୁ କ୍ଷେତ୍ରରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବା ସହିତ ଦୁର୍ନୀତି ବିରୋଧରେ ସଂଗ୍ରାମ ଏବଂ ଏହାର ମୂଳୋତ୍ପାଟନ ପାଇଁ ଶପଥ ନେଇଥିଲେ । ଶପଥ ପାଠର ମହତ୍ୱକୁ ବୁଝିବା ଏବଂ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରି ଏକ ସୁସ୍ଥ ସମାଜ ଗଠନ କରିବାକୁ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଏହି ଅବସରର ପରାମର୍ଶ ଦେଇଥିଲେ । ପ୍ରତିଦିନ ଆମେ ସମସ୍ତେ ଏଥିପାଇଁ ଐକ୍ୟବଦ୍ଧ ଭାବେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଜିଲାପାଳ(ରାଜସ୍ୱ) ଭବେଶ କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଶପଥପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ସୂଚନା ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ ଏହାର ସଂଯୋଜନା କରିଥିଲେ । ଅନୁରୂପ ଭାବେ ବାଲେଶ୍ୱର ଜିଲା ସଦର ମହକୁମା ଏବଂ ବ୍ଲକ ସ୍ତରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
