ସର୍ଟସର୍କିଟ୍ରୁ ଘରେ ଲାଗିଲା ନିଆଁ : ସ୍ୱାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ, ଅଳ୍ପକେ ବର୍ତ୍ତିଗଲା ୯ବର୍ଷର ପୁଅ
କେନ୍ଦୁଝର : କେନ୍ଦୁଝର ଜିଲା ବାମେଵାରୀ ଥାନା ବଳଦା ଗ୍ରାମରେ ଏକ ଅଭାବନୀୟ ଘଟଣା। ସର୍ଟ ସର୍କିଟ୍ରୁ ଘରେ ଲାଗିଲା ନିଆଁ । ନିଆଁ ଲାଗିଯିବାରୁ ସ୍ୱାମୀ ଓ ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲା ୯ ବର୍ଷର ପୁଅ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନା ଯେ, କେନ୍ଦୁଝର ଜିଲା ବାମେବାରୀ ଥାନା ବଳଦା ଗାଁରେ ଘର ଭିତରେ ଜୀଅନ୍ତା ଜଳିଗଲେ ସ୍ୱାମୀ-ସ୍ତ୍ରୀ । ମୃତ ଦମ୍ପତ୍ତି ହେଲେ ପୂର୍ଣ୍ଣଚନ୍ଦ୍ର ଦେହୁରୀ । ତାଙ୍କ ବୟସ ୩୫ ବର୍ଷ। ସ୍ତ୍ରୀ ହେଲେ ଲକ୍ଷ୍ମୀ ଦେହୁରୀ । ତାଙ୍କ ବୟସ ୩୩ ବର୍ଷ । ତେବେ ପାଖଘରେ ଶୋଇଥିବା ୯ ବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ପୋଡ଼ି ହୋଇଯାଇଥିବା ସନ୍ଦେହ କରାଯାଉଛି । ଘର ସାରା ନିଆଁ ଲାଗିଯିବାରୁ ଟିଭି, ଫ୍ରିଜ୍ ଓ ଅନ୍ୟାନ୍ୟ ଆସବାବପତ୍ର ପୋଡିଯାଇଥିବା ମଧ୍ୟ ସୂଚନା ମିଳିଛି । ଖବର ପାଇ ମୃତଦେହ ଉଦ୍ଧାର କରି ବାମେବାରୀ ପୋଲିସର ତଦନ୍ତ ଜାରି ରଖିଛି ।
