ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା : ଆଜି ପୁଣି ଅନନ୍ୟାଙ୍କୁ ଜେରା କରିବ ଏନ୍ସିବି
ମୁମ୍ବାଇ : ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ତୃତୀୟ ପର୍ଯ୍ୟାୟ ଜେରା ପାଇଁ ଆଜି ପୁଣି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଫିସ୍ରେ ହାଜର ହେବେ ବଲିଉଡ ଅଭିନେତା ଅନନ୍ୟା ପାଣ୍ଡେ । ଗତ ଶୁକ୍ରବାର ଦିନ ମଧ୍ୟ ଅନନ୍ୟାଙ୍କୁ ଚାରି ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଗତ ଗୁରୁବାର ଦିନ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଖାନ ଏବଂ ଅନ୍ୟମାନେ ଏଜେନ୍ସିର ଯାଞ୍ଚ ସମୟରେ ହ୍ବାଟ୍ସ ଆପ୍ ଚାଟରେ ତାଙ୍କ ନାମ ବାହାରିବା ପରେ ଏନସିବି ଅନନ୍ୟାଙ୍କୁ ଜେରା କରିଥିଲା। ବୁଧବାର ଦିନ ଏନସିବି ମୁମ୍ବାଇର ବାନ୍ଦ୍ରାସ୍ଥିତ ଅନନ୍ୟାଙ୍କ ଘରେ ଚଢଉ କରି ତାଙ୍କ ବୟାନ ରେକର୍ଡ କରିବା ପାଇଁ ହାଜର ହେବାକୁ ସମନ କରିଥିଲା। ଏହି ଚଢଉରେ ଏନସିବି ଅଧିକାରୀମାନେ ତାଙ୍କ ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ଜବତ କରିଥିବା ଜଣାପଡ଼ିଛି।
ସୂଚନା ଯେ, ଏନେଇ ଅନନ୍ୟା କହିଛନ୍ତି ଯେ ସେ କୌଣସି ନିଶାଯୁକ୍ତ ପଦାର୍ଥ ସେବନ କରିନାହାଁନ୍ତି। ଆର୍ଯ୍ୟନ୍ ଖାନଙ୍କ ସହ ଯେଉଁ ଚାଟ୍ ବିଷୟରେ କୁହାଯାଉଛି ତାହା ଥଟ୍ଟା ମଜାରେ କୁହାଯାଇଥିଲା। ଅନ୍ୟପକ୍ଷରେ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ପ୍ରତିଦିନ ନୂଆ ଖୁଲାସା କରାଯାଉଛି। ରବିବାର ଦିନ ଜଣେ ନିରପେକ୍ଷ ସାକ୍ଷୀ କହିଛନ୍ତି ଯେ ଜଣେ ଏନସିବି ଅଧିକାରୀ ଏବଂ ଫେରାର ସାକ୍ଷୀ କେ.ପି ଗୋସାଭି ସମେତ କିଛି ଅନ୍ୟ ଲୋକ ଆର୍ଯ୍ୟନ ଖାନଙ୍କୁ ମୁକ୍ତ କରିବା ପାଇଁ ୨୫ କୋଟି ଟଙ୍କା ମାଗିଛନ୍ତି। ସ୍ୱାଧୀନ ସାକ୍ଷୀ ପ୍ରଭାକର ସେଲ ଦାବି କରିଛନ୍ତି ଯେ ସେ ଗୋସାଭିଙ୍କୁ ଡି’ସୁଜା ନାମକ ଜଣେ ବ୍ୟକ୍ତିଙ୍କ ସହ ୧୮ କୋଟି ଟଙ୍କାରେ କଥାବାର୍ତ୍ତା କରୁଥିବା କଥା ଶୁଣିଛନ୍ତି କାରଣ ତାଙ୍କୁ ସମୀର ୱାଙ୍ଖଡେଙ୍କୁ ୮ କୋଟି ଟଙ୍କା ଦେବାକୁ ପଡିବ।
